ମୋବାଇଲରେ ଉଚ୍ଚସ୍ୱରରେ କଥା ହେବାକୁ ନେଇ ବୋମାମାଡ଼ ; ବଡ଼ ଭାଇ ମୃତ, ସାନ ଗୁରୁତର

Download

ଭୁବନେଶ୍ବର ୧୬।୯: ମୋବାଇଲକୁ ନେଇ ମର୍ଡର। ଭାଇକୁ ବୋମା ଫିଙ୍ଗିଲା ଭାଇ। ବଡ଼ ଭାଇ ମୃତ, ସାନ ଗୁରୁତର। ଘରେ ଥିଲା ହାତବୋମା। ସାମାନ୍ୟ ବଚସାରୁ ଘଟିଛି ବୋମାମାଡ଼। ରାତିରେ ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ମହୁଲ ଗାଁରେ ହଠାତ୍ ଶୁଣାଗଲା ବିସ୍ଫୋରଣର ଶବ୍ଦ। କିଛି ସମୟ ମଧ୍ୟରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଘଟଣା। ଗୋଟିଏ ଘରେ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ପରେ ହୋଇଥିଲା ବୋମାମାଡ଼।

ପୋଲିସ ସୂଚନା ଅନୁସାରେ, ସାନ ଭାଇ ମଦନ ପାଢ଼ୀ ଘର ଭିତରେ ମୋବାଇଲରେ ଉଚ୍ଚସ୍ୱରରେ କଥା ହେଉଥିଲେ। ଏହାକୁ ନେଇ ବଡ଼ ଭାଇ ମୋହନ ଆପତ୍ତି କରିଥିଲେ। ଯାହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ହୋଇଥିଲା ବଚସା। ବଚସା ବଢ଼ିବା ପରେ ଘଟଣା ଭୟଙ୍କର ମୋଡ଼ ନେଇଥିଲା। ମୋହନ ଘର ଭିତରୁ ହାତବୋମା ଆଣି ମଦନଙ୍କ ଉପରକୁ ଫିଙ୍ଗିଥିବା ପୋଲିସ କହିଛି। ବିସ୍ଫୋରଣରେ ମଦନଙ୍କ ହାତରେ ଗଭୀର କ୍ଷତ ହୋଇଥିଲା। ଏହାପରେ ପ୍ରତିଆକ୍ରମଣ କରିଥିଲେ ମଦନ। ଦୁଇଟି ହାତ ବୋମା ମୋହନଙ୍କ ଉପରକୁ ଫିଙ୍ଗିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ହିଁ ମୋହନଙ୍କ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ମଦନଙ୍କ ଚିକିତ୍ସା ଚାଲିଛି।
ତେବେ ଏତେ ବୋମା ଆସିଲା କେଉଁଠୁ ? ଘରେ କାହିଁକି ରଖାଯାଇଥିଲା ବୋମା ? ବୋମାଗୁଡ଼ିକ କେଉଁଠୁ ଆସିଥିଲା? ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ? ଘରେ ତଲାସୀ କରାଯାଇଥିଲେ ମଧ୍ୟ ବୋମା ତିଆରି ସାମଗ୍ରୀ ମିଳିନଥିବା କୁହାଯାଇଛି। ଅନ୍ୟପଟେ ମୋହନ, ମଦନ ସମେତ ଚାରିଭାଇ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ବୋମାମାଡ଼ ପଛରେ କେବଳ ମୋବାଇଲ୍ ନା ରହିଛି ଆଉ କିଛି କାରଣ? ଦୁଇ ଭାଇ ଦେଶୀ ମଦ କାରବାରରେ ଜଡ଼ିତ ଥିବା ଗାଁ ଲୋକ କହିଛନ୍ତି। ଚନ୍ଦକା ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share