Egg attack on mp aparajita 2026 05 31 20 07 13

ଭୁବନେଶ୍ବର: ଚଳିତ ମାସ ୧୭ ତାରିଖରେ ବୋଲଗଡ଼ ଗସ୍ତ ସମୟରେ ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା। ଏହି ଘଟଣାରେ ପୁଲିସ ଜଣେ ୧୭ ବର୍ଷୀୟ ନାବାଳକ ସମେତ ୨ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଏଯାଏଁ ଫେରାର୍‌ ରହିଥିବା ଜଣାଯାଇଛି।
ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ବୋଲଗଡ଼ ଫ୍ଲାଏଓଭର ନିକଟରେ ସାଂସଦ ଶ୍ରୀମତିଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା। ଏନେଇ ସାଂସଦଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଧନେଶ୍ବର ବାରିକଙ୍କ ଲିଖିତ ଅଭିଯୋଗକ୍ରମେ, ୧୯ ତାରିଖରେ ବୋଲଗଡ଼ ଥାନା ନଂ ୨୩୦ରେ ବିଏନ୍‌ଏସ୍‌ର ଧାରା ୧୨୬(୨)/୧୩୨/୩(୫)/୩୨୪(୪)/୩୫୨/୬୧(୨) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ସିସିଟିଭି ଫୁଟେଜ୍‌, ସିଡିଆର ବିଶ୍ଳେଷଣ ଏବଂ ସ୍ଥାନୀୟ ତଦନ୍ତ ଆଧାରରେ ଅଭିଯୁକ୍ତ ପ୍ରକାଶ କୁମାର ସାହୁ ଓ ଅଭିଯୁକ୍ତ ନାବାଳକ (୧୭)କୁ ୩୧ ତାରିଖରେ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ଏହାପରେ ଆକ୍ରମଣ ସମୟରେ ବ୍ୟବହୃତ ମୋଟରସାଇକଲ୍‌, ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରାଯାଇଥିଲା। ତଦନ୍ତ ପରେ ବିଏନ୍‌ଏସ୍‌ର ଧାରା ୧୨୬(୨)/୧୩୨/୩୨୪(୪)/୩୫୨/୬୧(୨)/୧୦୯/୩(୫) ରେ କୋର୍ଟରେ ହାଜର କରାଯାଇଛି। ଅଭିଯୁକ୍ତ ପ୍ରକାଶ କୁମାର ସାହୁ, ଅଣ୍ଡା ଫୋପାଡ଼ିଥିବା ନାବାଳକ ଓ କାଳିଆ ବେହେରାକୁ ଉସ୍‌କାଇଥିଲା। ଅଭିଯୁକ୍ତ ସାହୁଙ୍କୁ ଖୋର୍ଦ୍ଧା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିବା ବେଳେ ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯାଇଛି। ତଦନ୍ତରେ ଉକ୍ତ ନାବାଳକ ଅଭିଯୁକ୍ତ ବିରୋଧରେ ବୋଲଗଡ଼ ଥାନାରେ ଦୁଇଟି ଅପରାଧିକ ମାମଲା ପୂର୍ବରୁ ରହିଥିବା ଜଣାଯାଇଛି।

Share