ଅନଶନ ଭାଙ୍ଗିବା ପାଇଁ ୩ ସର୍ତ୍ତ ରଖିଲେ ୱାଙ୍ଗଚୁକ୍, ହସପିଟାଲରୁ ଆସିଲା ହାତ ଲେଖା ଚିଠି

Newindianexpress 2026 07 19 cga1r0q5 20260717241L

ନୂଆଦିଲ୍ଲୀ : ଅନଶନ ଭାଙ୍ଗିବା ପାଇଁ ତିନି ସର୍ତ୍ତ ରଖିଛନ୍ତି ଶିକ୍ଷାବିତ ସୋନମ୍ ଓ୍ୱାଙ୍ଗଚୁକ୍ । ଦୀର୍ଘ ୨୦ ଦିନରୁ ଅଧିକ ସମୟ ଧରି ଆମରଣ ଅନଶନରେ ରହିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ୱାଙ୍ଗଚୁକ୍ । ସୋନମ ଅନଶନ ଭାଙ୍ଗିବାକୁ ଆଜି ତିନୋଟି ସର୍ତ୍ତ ରଖିଛନ୍ତି । ସର୍ତ୍ତ ପୂରଣ ହେଲେ ହିଁ ଉପବାସ ଶେଷ କରିବେ ବୋଲି ଜଣାଇଛନ୍ତି । ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ତାଙ୍କର ହାତ ଲେଖା ଚିଠି ସାମ୍ନାକୁ ଆସିଛି ।

ଓ୍ୱାଙ୍ଗଚୁକଙ୍କ ପ୍ରଥମ ସର୍ତ୍ତ ହେଉଛି, ସରକାର ଶିକ୍ଷା ବ୍ୟବସ୍ଥାର ବିଫଳତା ପାଇଁ ଦାୟିତ୍ୱ ନିଅନ୍ତୁ । ଦ୍ୱିତୀୟ ସର୍ତ୍ତ ହେଉଛି, ରାଜନୈତିକ ନେତାମାନେ ତାଙ୍କୁ ଆଶ୍ୱାସନା ଦିଅନ୍ତୁ ଯେ, ସଂସଦରେ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଉଠାଇବେ । ତୃତୀୟରେ, ଯଦି ତାଙ୍କ ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ କାରଣରୁ ସେ ଆଜି ସଂସଦ ପର୍ଯ୍ୟନ୍ତ ଯାତ୍ରାରେ ଯୋଗ ଦେବାକୁ ଅସମର୍ଥ ହୁଅନ୍ତି, ତେବେ ରାଜନୈତିକ ନେତାମାନେ ହସ୍ପିଟାଲକୁ ଆସି ଉପରୋକ୍ତ ଦୁଇଟି ସର୍ତ୍ତର ଆଶ୍ୱାସନା ଦେବେ ।

ତେବେ ଚିଠିର ଶେଷରେ ସେ ଲେଖିଛନ୍ତି ଯେ, ତାଙ୍କ ଗତିବିଧିର ସ୍ୱାଧୀନତା, ବାକ୍ ସ୍ୱାଧୀନତା ଏବଂ ସମସ୍ତ ଯୋଗାଯୋଗ ଅବୈଧ କାରାଗାରରେ ସୀମିତ କରାଯାଇଛି । ଆଜି ତାଙ୍କ ଅନଶନ ୨୩ ଦିନରେ ପହଞ୍ଚିଲାଣି ।
ଏହାଛଡା ଦିଲ୍ଲୀ ପୋଲିସ କହିଛି କି, ସଂସଦ ଯାଏଁ ପ୍ରସ୍ତାବିତ ମାର୍ଚ୍ଚକୁ ଅନୁମତି ମିଳିବ ନାହିଁ । ଏଥିପାଇଁ କୌଣସି ଅନୁମତି ମଗାଯାଇନାହିଁ କି ଦିଆଯାଇଛି ବୋଲି ଏକ୍ସରେ ପୋଷ୍ଟ କରି କହିଛି ଦିଲ୍ଲୀ ପୋଲିସ । ତେବେ ଏହି ମାର୍ଚ୍ଚ ପାଇଁ ଜନ୍ତରମନ୍ତରରେ ୧୦ ହଜାର ସୁରକ୍ଷାବଳ ଯବାନ ନିୟୋଜିତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଜୁଲାଇ ୧୮ ତାରିଖ ସକାଳେ ଦିଲ୍ଲୀ ପୋଲିସ ତାଙ୍କୁ ପ୍ରତିବାଦ ସ୍ଥଳରୁ ଉଠାଇ ସଫଦରଜଙ୍ଗ ହସ୍ପିଟାଲ୍କୁ ନେଇଥିଲା । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ନେଇ ଡାକ୍ତରମାନେ ଚେତାବନୀ ଦେଇଥଲେ । ଯେଉଁଥିରେ ତାଙ୍କ ଅଙ୍ଗପ୍ରତ୍ୟଙ୍ଗ ବିଫଳ ହେବାର ଆଶଙ୍କା ଥିଲା । ପରେ ଦିଲ୍ଲୀ ହାଇକୋର୍ଟ ସରକାରକୁ ତାଙ୍କ ଜୀବନ ରକ୍ଷା ପାଇଁ ସବୁ ଉପାୟ ଅବଲମ୍ବନ କରିବାକୁ କହିବା ପରେ ପୁଲିସ ତାଙ୍କୁ ଧାରଣା ସ୍ଥଳରୁ ଉଠାଇନେଇଥିଲା ।

Share