ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ୯ ପଂଚାୟତରେ ସ୍କୁଲ ଛୁଟି । ବନ୍ୟାକୁ ଦୃଷ୍ଟିରେ ରଖି ଆରଡ଼ି, ନାନ୍ଦପୁର, ସୁନ୍ଦରପୁର, ଓଳଗ, ମାଧପୁର, ଭୂଇଁବୃତୀ, ଖେରଙ୍ଗ, ନାଲଗୁଣ୍ଡା, ତେନ୍ତୁଳିଡ଼ିହି,ପଂଚାୟତରେ ସ୍କୁଲ ଛୁଟି କରାଯାଇଛି। ଗତକାଲି ଚାନ୍ଦବାଲି ବ୍ଳକର ବିଭିନ୍ନ ଅଞ୍ଚଳ ବୁଲି ବନ୍ୟା ସ୍ଥିତି ପରଖିଥିଲେ ଜିଲ୍ଲାପାଳ। ପରେ ସ୍କୁଲ ଛୁଟି ନିଷ୍ପତ୍ତି ନିଆଯାଇଛି। ସେପଟେ ଜିଲ୍ଲାପାଳ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସମସ୍ୟା ବିଷୟରେ ବୁଝିଛନ୍ତି। ଆଶ୍ରୟସ୍ଥଳ, ରିଲିଫ୍ ବଣ୍ଟନ, ପାନୀୟ ଜଳ, ଖାଦ୍ୟ, ସ୍ୱାସ୍ଥ୍ୟସେବା ଏବଂ ଉଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
ଅନ୍ୟପଟେ, ୧୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବରଗଡ଼,ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ,ଅନୁଗୁଳ,ବୌଦ୍ଧ,ଢେଙ୍କାନାଳ,ଯାଜପୁର,କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ଢେଙ୍କାନାଳ, ମୟୂରଭଞ୍ଜ ଓ ଗଞ୍ଜାମରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବଜ୍ରପାତ ଜନିତ ବର୍ଷାର ମାତ୍ରା ଧିରେ ଧିରେ ବୃଦ୍ଧି ପାଇବ।
ଏହାସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ଏହାବାଦ ୮ ତାରିଖ ଯାଏଁ ରାଜ୍ୟର ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୬ ତାରିଖ ଯାଏ ଅଧା ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏହା ପରଠୁ କମିବ ବର୍ଷା । ଓଡ଼ିଶା ଉପରୁ ଲଘୁଚାପ ପ୍ରଭାବ ଅପସରି ଯାଇଛି, ହେଲେ ରାଜ୍ୟରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

