ନୟାଗଡ଼: ଯୌନ ନିର୍ଯାତନା ଅଭିଯୋଗରେ ଛନ୍ଦି ହୋଇ ଫେରାର ଥିବା ଶରଣକୁଳ ଥାନାର ପୂର୍ବତନ ଅଧିକାରୀ (IIC) ସୁଜିତ କୁମାର ଦାସ ଶେଷରେ ଆତ୍ମସମର୍ପଣ କରିଛନ୍ତି। ଆଜି ସେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇ ନିଜକୁ ସମର୍ପଣ କରିଥିବା ଜଣାପଡ଼ିଛି। ଆତ୍ମସମର୍ପଣ ପରେ ପୋଲିସ ତାଙ୍କୁ ହେପାଜତକୁ ନେଇ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଲୁଚି ରହିବା ପରେ ଆଜି ସୁଜିତ କୁମାର ଦାସ କ୍ରାଇମବ୍ରାଞ୍ଚ ଆଗରେ ଆତ୍ମସମର୍ପଣ କରିଥିଲେ। ଏହାପରେ ନିୟମ ଅନୁଯାୟୀ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) କୁ ନିଆଯାଇଥିଲା। ସେଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କର ଡାକ୍ତରୀ ମାଇନା ବା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।
କ୍ରାଇମବ୍ରାଞ୍ଚ ଏହି ମାମଲାର ଅଧିକ ଖୋଳତାଡ଼ କରୁଥିବା ବେଳେ ତାଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ସୁଜିତ କୁମାର ଦାସ ଶରଣକୁଳ ଥାନାରେ IIC ଭାବେ କାର୍ଯ୍ୟରତ ଥିବା ସମୟରେ ତାଙ୍କ ନାମରେ ଏକ ସଙ୍ଗିନ ଅଭିଯୋଗ ଆସିଥିଲା। ଜଣେ ମହିଳା ତାଙ୍କ ବିରୋଧରେ ଶରଣକୁଳ ଥାନାରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ତେବେ ନିଲମ୍ବନ ଆଦେଶ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଭୟରେ ସେ ଫେରାର ହୋଇଯାଇଥିଲେ।
