ଇଲେକ୍ଟ୍ରୋନିକ୍ ଚିପ୍ସ କମ୍ପାନୀରେ ନିଆଁ : ୨ ଅଗ୍ନିସେବା କର୍ମଚାରୀ ମୃତ, ୩ ଆହତ

Fire

ନୋଏଡା: ଗ୍ରେଟର ନୋଏଡାର ଇକୋଟେକ୍-୩ରେ ଥିବା ଏକ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୩ ଜଣ ଆହତ ହୋଇଛନ୍ତି । କାନ୍ଥ ଏବଂ ବିମ୍ ଭୁଶୁଡ଼ି ପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।

ସୂଚନାନୁଯାୟୀ, ଇକୋଟେକ୍-୩ ସ୍ଥିତ ILGIM କମ୍ପାନୀରେ ସୋମବାର ଏବଂ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଦୁର୍ଘଟଣା ଘଟିଛି । ଏହି କମ୍ପାନୀରେ ଇଲେକ୍ଟ୍ରୋନିକ୍ ଚିପ୍ସ ତିଆରି କରାଯାଏ । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲିଭାଇବା ସମୟରେ ଗୋଟିଏ ପାର୍ଶ୍ବର କାନ୍ଥ ଏବଂ ଏକ ଲୁହା ବିମ୍ ହଠାତ୍ ଭୁଶୁଡ଼ି ପଡ଼ିବାରୁ ୫ ଜଣ ଅଗ୍ନିସେବା କର୍ମଚାରୀ ଭଗ୍ନାବଶେଷ ତଳେ ଫସି ଯାଇଥିଲେ ।

ଅନ୍ୟପଟେ ଏହି ଦୁର୍ଘଟଣାରେ ଆହତ ସମସ୍ତ ଅଗ୍ନିଶମ କର୍ମଚାରୀଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା । ଚିକିତ୍ସା ସମୟରେ ଡାକ୍ତର ଅଗ୍ନିଶମ କର୍ମଚାରୀ ରୋହିତ ଯାଦବ ଏବଂ ମୁଖ୍ୟ କନଷ୍ଟେବଳ ଡ୍ରାଇଭର ତିରଥପାଲ ସିଂଙ୍କୁ ମୃତ ଘୋଷଣା କରିଥିଲେ ।  ହେଲେ ଅନ୍ୟ ତିନି ଆହତ ଅଗ୍ନିଶମ କର୍ମଚାରୀଙ୍କ ଅବସ୍ଥା ବିପଦମୁକ୍ତ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ଅଧିକାରୀ ଏବଂ SDRF ଦଳ ଉପସ୍ଥିତ ରହିଛନ୍ତି । ଦୁର୍ଘଟଣା ସମ୍ପର୍କରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

Share