ରୁଷ: ରୁଷର ବ୍ଲାକ୍ ସିର ଉପକୂଳରେ ଥିବା ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ଗେଲେଣ୍ଡଜିକ୍ ନିକଟସ୍ଥ ଏକ ବେଳାଭୂମିରେ ରବିବାର ଦିନ ଡ୍ରୋନ୍ ଆକ୍ରମଣ ହୋଇଛି । ଯେଉଁଥିରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ପିଲା ଥିବା ଜଣାପଡିଛି । ଏଥିସହ ଏହି ଆକ୍ରମଣରେ ୪୦ ଜଣ ମଧ୍ୟ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ରୁଷ ୟୁକ୍ରେନକୁ ଦାୟୀ କରିଛି ।
ସୂଚନାନୁଯାୟୀ, ଗେଲେଣ୍ଡଜିକ୍ ସହର ନିକଟସ୍ଥ ଆର୍ଖିପୋ-ଓସିପୋଭକା ବିଚ୍ରେ ଏହି ଘଟଣା ଘଟିଛି । ଖରାଦିନ ଯୋଗୁଁ ଆକ୍ରମଣସ୍ଥଳରେ ଅନେକ ପର୍ଯ୍ୟଟକ ଥିଲେ । ଫଳରେ ଏହି ଆକ୍ରମଣରେ ତିନି ଜଣ ଶିଶୁଙ୍କ ସମେତ ଅତି କମରେ ୭ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ୪୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨୧ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ୧୯ ଜଣଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି ବୋଲି କ୍ରାସନୋଡାର କ୍ରାଇ ଆଞ୍ଚଳିକ ସରକାର ସୂଚନା ଦେଇଛନ୍ତି ।
ଏହାରି ମଧ୍ୟରେ କ୍ରାସନୋଡାର କ୍ରାଇ ରାଜ୍ୟପାଳ ଭେନିଆମିନ୍ କୋଣ୍ଡ୍ରାଟିଭ ଏହି ଆକ୍ରମଣ ପାଇଁ ୟୁକ୍ରେନକୁ ଦାୟୀ କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ୟୁକ୍ରେନୀୟ ସେନା କିମ୍ବା କିଭ୍ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଦିଆଯାଇ ନାହିଁ ।
ଅନ୍ୟପଟେ ଏହି ଘଟଣା ପରେ ରୁଷର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ପଶ୍ଚିମ ଦେଶଗୁଡିକ ଉପରେ କଠୋର ଆକ୍ରମଣ କରିବା ଆରମ୍ଭ କରିଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା ରୁଷର ସରକାରୀ ସମାଚାର ଏଜେନ୍ସି TASSକୁ କହିଛନ୍ତି ଯେ, ନାଟୋ ଏବଂ ୟୁରୋପୀୟ ସଂଘ ପୂର୍ବରୁ ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ର ନୀତିକୁ ସମର୍ଥନ କରିଥିଲେ କିନ୍ତୁ ଏବେ ସେମାନେ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଗତିବିଧି ସାମିଲ ହୋଇଛି । ସେ ପଶ୍ଚିମ ଦେଶଗୁଡ଼ିକୁ ଏପରି କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି ।
