ଭୁବନେଶ୍ବର: ପାଠ୍ୟପୁସ୍ତକ ତ୍ରୁଟି ମାମଲା । ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ। ଓଡ଼ିଶାର ସରକାରୀ ସ୍କୁଲ ପାଠ୍ୟପୁସ୍ତକରେ ଏକାଧିକ ତଥ୍ୟଗତ ଓ ବିଷୟବସ୍ତୁଗତ ତ୍ରୁଟିକୁ ନେଇ ସୃଷ୍ଟି ହୋଇଥିବା ବହୁଚର୍ଚ୍ଚିତ ମାମଲାରେ ବଡ଼ ଅପଡେଟ୍ । SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କଟକ ସ୍ୱତନ୍ତ୍ର SC/ST ଅଦାଲତ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଚଳିତ ବର୍ଷ ପ୍ରକାଶିତ ସ୍କୁଲ ପାଠ୍ୟପୁସ୍ତକରେ ଇତିହାସ, ସାଧାରଣ ଜ୍ଞାନ ଓ ଅନ୍ୟାନ୍ୟ ବିଷୟରେ ଅନେକ ତ୍ରୁଟି ସାମ୍ନାକୁ ଆସିବା ପରେ ଏହାକୁ ନେଇ ରାଜ୍ୟବ୍ୟାପୀ ବିବାଦ ସୃଷ୍ଟି ହୋଇଥିଲା ।
ବିରୋଧୀ ଦଳ, ଶିକ୍ଷାବିତ୍ ଓ ଅଭିଭାବକମାନେ ଏହାକୁ ନେଇ ସରକାର ଓ ଗଣଶିକ୍ଷା ବିଭାଗକୁ କଡ଼ା ସମାଲୋଚନା କରିଥିଲେ। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା । ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ଗତ ଜୁଲାଇ ୧୪ ତାରିଖରେ ଗିରଫ କରିଥିଲା। ଏହା ପୂର୍ବରୁ ତାଙ୍କ ସମେତ ତିନିଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ କରାଯାଇଥିଲା।
ସେହିପରି ଆଉ ୬ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଥିଲା। ଆଜି ମାମଲାର ଶୁଣାଣି ପରେ ଅଦାଲତ ମନୋଜ ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ତେବେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା, ଆବଶ୍ୟକ ସମୟରେ ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ହେବା ଏବଂ ଅଦାଲତଙ୍କ ସମସ୍ତ ସର୍ତ୍ତ ପାଳନ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ମନୋଜ ପାଢ଼ୀଙ୍କୁ ଜାମିନ ମିଳିଥିଲେ ମଧ୍ୟ ମାମଲାର ତଦନ୍ତ ଏବେ ବି ଜାରି ରହିଛି। ତେଣୁ ଏହି ମାମଲାରେ ନିଲମ୍ବିତ ଏବଂ ବିଭାଗୀୟ ତଦନ୍ତର ସମ୍ମୁଖୀନ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକାକୁ ନେଇ ମଧ୍ୟ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିବ। ଏହି ମାମଲାରେ ଆଗାମୀ ଦିନରେ ଆହୁରି କିଛି ପଦକ୍ଷେପ ନିଆଯିବାର ସମ୍ଭାବନା ଥିବା ଚର୍ଚ୍ଚା ହେଉଛି।
