ନୂଆଦିଲ୍ଲୀ : ଲୋହିତ ସାଗରରେ ଭାରତୀୟ ଜାହାଜକୁ ଆକ୍ରମଣ । ଜାହାଜରେ ଥିବା ସମସ୍ତ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ୟେମେନ ସରକାରୀ ସେନା ପକ୍ଷରୁ କୁହାଯାଇଛି । ଜାହାଜ ବୁଡ଼ିଯାଇ ଥିବା ବେଳେ ଏଥିରେ ଥିବା ୧୩ ଭାରତୀୟଙ୍କ ସହ ୧୪ ନାବିକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ୟେମେନର ହୁତି ବିଦ୍ରୋହୀମାନେ ଏହି ଆକ୍ରମଣ କରିଥିବା ଅନୁମାନ କରାଯାଉଛି । ଭାରତ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛି ।
ୟେମେନର ପଶ୍ଚିମ ଉପକୂଳ ନିକଟ ଲୋହିତ ସାଗରରେ ଭାରତୀୟ ପତାକା ଲାଗିଥିବା ଜାହାଜ MSV ଫଇଜ୍ ନୁରେ ଓଲିୟା ଉପରେ ଆକ୍ରମଣ ହୋଇଛି । ଆକ୍ରମଣ ପରେ ଜାହାଜଟି ଓଲଟି ଯାଇ ସମୁଦ୍ରରେ ବୁଡ଼ି ଯାଇଛି । ଜାହାଜରେ ଥିବା ୧୩ ଜଣ ଭାରତୀୟ ଏବଂ ଜଣେ ୟେମେନୀ ନାଗରିକଙ୍କୁ ମିଶାଇ ସମସ୍ତ ୧୪ ଜଣ ନାବିକ ଉଦ୍ଧାର ହୋଇଛନ୍ତି । ସୁରକ୍ଷିତ ଉଦ୍ଧାର ପରେ ମୋଖା ବନ୍ଦରକୁ ନେଇଛି ୟେମେନ କୋଷ୍ଟ ଗାର୍ଡ । ଘଟଣାରେ କୌଣସି ପ୍ରାଣହାନି ହୋଇନାହିଁ ।
କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଆକ୍ରମଣକୁ କଡ଼ା ନିନ୍ଦା କରି ଭାରତୀୟ ନାବିକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି । ସମସ୍ତ ସହାୟତା ପାଇଁ ସମୁଦ୍ର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଘଟଣାକୁ ନିନ୍ଦା କରି କହିଛି, ରିୟାଦ ସ୍ଥିତ ଭାରତୀୟ ଦୂତାବାସ ୟେମେନ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ସମନ୍ୱୟ ରଖି ପରିସ୍ଥିତି ଉପରେ ନଜର ରଖିଛି ।
ୟେମେନ ସରକାରଙ୍କ ଦାବି ଅନୁସାରେ, ଏହି ଆକ୍ରମଣ ପଛରେ ହୁତି ବିଦ୍ରୋହୀଙ୍କ ହାତ ଥାଇପାରେ । ତେବେ ଭାରତ ସରକାର ଏନେଇ କାହାର ନାମ ସାର୍ବଜନୀନ ଭାବେ ଉଲ୍ଲେଖ କରିନାହାନ୍ତି ।
