ବରଗଡ଼: ନକଲି ସୁନା ବିସ୍କୁଟ ଚାଲାଣ ବେଳେ ୩ ଗିରଫ । ଗତ ୧୦ ତାରିଖ ରାତିରେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନାରେ ରମେଶ ସାହୁ ଏକ ଲିଖିତ ଅଭିଯୋଗ କରିଥିଲେ । ଏକ ଅଜଣା ମୋବାଇଲ ନମ୍ବରରୁ ଫୋନ୍ କଲ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତିଜଣକ ତାଙ୍କ ପାଖରେ ବିକ୍ରି ପାଇଁ ସୁନା ବିସ୍କୁଟ୍ ଅଛି ଏବଂ ତାର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାଇଥିଲେ । କିଣିବାକୁ ଚାହୁଁଛନ୍ତି କି ନାହିଁ ପଚାରିଥିଲେ ଏବଂ ଡୁବୁଲାବାହାଲ ଛକ ନିକଟକୁ ଆସିବା ପାଇଁ କହିଥିଲେ ।
ଅଭିଯୁକ୍ତମାନେ ସୁନା କହି ଦୁଇଟି ବିସ୍କୁଟ୍ ଆକୃତିର ଜିନିଷ ଦେଖାଇଥିଲେ । ସେଗୁଡ଼ିକୁ ପରୀକ୍ଷା କରିବା ପରେ ଅଭିଯୋଗକାରୀ ସେଗୁଡ଼ିକ ନକଲି ବୋଲି ସନ୍ଦେହ କରିଥିଲେ ଏବଂ ତାଙ୍କୁ ଠକିବା ପାଇଁ କରାଯାଉଥିବା ଉଦ୍ୟମ ବିରୋଧରେ ପ୍ରତିବାଦ କରିଥିଲେ ।
ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତମାନେ ରମେଶଙ୍କୁ ମାଡ଼ପିଟ୍ କରିବା ସହ ତାଙ୍କ ପାଖରୁ ନଗଦ ଟଙ୍କା ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇବା ଉଦ୍ୟମ କଲାବେଳେ ପୋଲିସ ମାଡ଼ିବସିଥିଲା । ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କ ପାଖରୁ ୩ଟି ନକଲି ସୁନା ବିସ୍କୁଟ ଏବଂ ୪୨ ହଜାର ଟଙ୍କା ଜବତ ହୋଇଛି ।
