କଟକ (ବିକ୍ରମ କିଶୋର ସେନାପତିଙ୍କ ରିପୋର୍ଟ) : ସ୍ଥାନୀୟ ସହିଦ ଭବନ ପ୍ରେକ୍ଷାଳୟରେ ମାହାଙ୍ଗା ବିକାଶ ପରିଷଦ ଆନୁକୂଲ୍ୟରେ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ମହୋତ୍ସବ–୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ମୁକ୍ତାକାଶ ରଙ୍ଗମଞ୍ଚ ଓଡ଼ିଆ ଯାତ୍ରା ଜଗତକୁ ସମୃଦ୍ଧ କରିବାରେ ଗଣକବିଙ୍କ ଅତୁଳନୀୟ ଭୂମିକା ତଥା ତାଙ୍କର ଅମର ସାରସ୍ୱତ ସୃଷ୍ଟିରାଜିକୁ ସ୍ମରଣ କରିବା ଏହି ଭବ୍ୟ ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

କାର୍ଯ୍ୟକ୍ରମରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃବୃନ୍ଦ ଅତିଥି ରୂପେ ଯୋଗଦେଇ ପ୍ରଥମେ ଗଣକବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ଅତିଥିମାନେ ନିଜର ବକ୍ତବ୍ୟ ରଖି କହିଥିଲେ ଯେ, ଗଣକବି ବୈଷ୍ଣବ ପାଣି ଥିଲେ ଜନଗଣଙ୍କ କବି। ସାଧାରଣ ମଣିଷର ଦୁଃଖ-ସୁଖ, ଧର୍ମ-ଅଧର୍ମ ଓ ସାମାଜିକ ବ୍ୟବସ୍ଥାକୁ ନିଜର ଗୀତିନାଟ୍ୟ ମାଧ୍ୟମରେ ସେ ଅତ୍ୟନ୍ତ ସରଳ ତଥା ହୃଦୟସ୍ପର୍ଶୀ ଭାବେ ଉପସ୍ଥାପନ କରି ଓଡ଼ିଆ ଯାତ୍ରା ସାହିତ୍ୟକୁ ଏକ ନୂତନ ଦିଗ୍ଦର୍ଶନ ଦେଇଥିଲେ। ତାଙ୍କ ରଚିତ ଗୀତିନାଟ୍ୟ, କାବ୍ୟ ଓ ସଂଗୀତ ଆଜି ବି ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ରହିଛି।
ଆୟୋଜକ ମାହାଙ୍ଗା ବିକାଶ ପରିଷଦର କର୍ମକର୍ତ୍ତାଙ୍କ ନିଷ୍ଠାପର ଉଦ୍ୟମକୁ ଉପସ୍ଥିତ ଅତିଥି ଓ ଦର୍ଶକମାନେ ଉଚ୍ଚ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟାନୁରାଗୀ, ବରିଷ୍ଠ ନାଗରିକ ତଥା ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ଗଣକବିଙ୍କ ସ୍ମୃତିଚାରଣ କରିଥିଲେ।
