ବ୍ରହ୍ମପୁର (ବିକ୍ରମ କିଶୋର ସେନାପତିଙ୍କ ରିପୋର୍ଟ) : ସାମ୍ପ୍ରତିକ ବାତ୍ୟା ଓ ବନ୍ୟା ବିତ୍ପାତ ପରେ ନଦୀରୁ ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଜୀବନଜୀବିକା ପୁନର୍ବାର ସଜାଡ଼ିବାର ସଂଘର୍ଷ ଏବେ ବି ଜାରି ରହିଛି। ଏହି ବିପର୍ଯ୍ୟସ୍ତ ସ୍ଥିତି ଭିତରେ ବନ୍ୟା ବିପନ୍ନଙ୍କ ଦୁଃଖରେ ଭାଗୀଦାର ହେବା ତଥା ସେମାନଙ୍କ ଗୁହାରି ଶୁଣିବା ପାଇଁ ଆଜି ଗଞ୍ଜାମ ଜିଲ୍ଲାରେ ପହଞ୍ଚିଥିଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଜିଲ୍ଲାର ପ୍ରଭାବିତ ଶେରଗଡ଼, ହିଞ୍ଜିଳି, ଆସିକା ଏବଂ ସୋରଡ଼ା ଅଞ୍ଚଳ ଗସ୍ତ କରି ବ୍ୟାପକ କ୍ଷୟକ୍ଷତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି।


ଜିଲ୍ଲା ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ପଟ୍ଟନାୟକ ଶେରଗଡ଼ ବ୍ଲକରେ ପହଞ୍ଚି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ଭେଟିଥିଲେ। ସେଠାରେ ହତାଶ ଚାଷୀମାନେ ବନ୍ୟା ପାଣିରେ ନଷ୍ଟ ହୋଇଯାଇଥିବା ଧାନ କେଣ୍ଡା ହାତରେ ଧରି ନିଜର ଦୁର୍ଦ୍ଦଶା ଜଣାଇବା ସହ କାନ୍ଦି ପକାଇଥିଲେ। ଚାଷୀଙ୍କ ଏଭଳି ଦୁଃଖ ଓ କୋହଭରା ଅଭିଯୋଗ ଶୁଣି ବିରୋଧୀ ଦଳ ନେତା ମଧ୍ୟ ଭାବବିହ୍ୱଳ ହୋଇପଡ଼ିଥିଲେ। କେବଳ ଧାନ ଫସଲ ନୁହେଁ, ବରଂ ବ୍ୟାପକ ପରିମାଣର ଆଖୁ ଫସଲ ମଧ୍ୟ ନଷ୍ଟ ହୋଇଯାଇଥିବାରୁ ଆଗାମୀ ଦିନରେ କିପରି ଚଳିବେ ଏବଂ ସରକାରୀ କ୍ଷତିପୂରଣ କେବେ ମିଳିବ ବୋଲି ଚାଷୀମାନେ ନିଜର ଦୁଃଖ ବର୍ଣ୍ଣନା କରିଥିଲେ।
ଶେରଗଡ଼ ପରେ ସେ ହିଞ୍ଜିଳି ଓ ଆସିକା ଅଞ୍ଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ବିଦ୍ୟାଳୟ ଗୃହ ଏବଂ ଭାଙ୍ଗିରୁଜି ଯାଇଥିବା ଗ୍ରାମୀଣ ଭିତ୍ତିଭୂମିର ସ୍ଥିତି ପରଖିଥିଲେ। ବନ୍ୟା ପାଣି ପଶି ନଷ୍ଟ ହୋଇଥିବା ବିଦ୍ୟାଳୟଗୁଡ଼ିକୁ ଶିକ୍ଷକ ଓ ସ୍ଥାନୀୟ ଲୋକେ ସଜାଡ଼ିବାରେ ଲାଗିଥିବା ଦୃଶ୍ୟ ସେ ଅନୁଧ୍ୟାନ କରିଥିଲେ। ଗସ୍ତର ଶେଷ ଭାଗରେ ସୋରଡ଼ା ଠାରେ ପହଞ୍ଚି ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ବନ୍ୟା ଓ ବାତ୍ୟା ଯୋଗୁଁ ଲୋକଙ୍କର ଅପୂରଣୀୟ କ୍ଷତି ଘଟିଛି। ବିପନ୍ନମାନେ ଏପର୍ଯ୍ୟନ୍ତ ଉପଯୁକ୍ତ ସରକାରୀ ସହାୟତା ପାଇପାରି ନାହାନ୍ତି। ତେଣୁ ଲୋକଙ୍କ ଏହି ଦୁଃଖ ଓ ଅଭିଯୋଗକୁ ସେ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ତୁରନ୍ତ ଆକଳନ ଭିତ୍ତିରେ ଉପଯୁକ୍ତ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦାବି କରିବେ।
ଏହି ଗସ୍ତ ସମୟରେ ବିରୋଧୀ ଦଳ ନେତାଙ୍କ ସହିତ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ଲେନିନ ମହାନ୍ତି, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ପଣ୍ଡା କହିଛନ୍ତି ଯେ, ବନ୍ୟା ବିପନ୍ନଙ୍କୁ ଯଦି ପ୍ରଶାସନ ପକ୍ଷରୁ ଅବିଳମ୍ବେ ଉଚିତ କ୍ଷତିପୂରଣ ଓ ରିଲିଫ୍ ସହାୟତା ଯୋଗାଇ ନ ଦିଆଯାଏ, ତେବେ ଆଗାମୀ ଦିନରେ ଦଳ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ।
