ସାଲେପୁର ନିକଟରେ ସଡ଼କ ଦୁର୍ଘଟଣା: ଜିଏସଟି ଯୁଗ୍ମ କମିଶନର ଓ ଡ୍ରାଇଭର ଗୁରୁତର, କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ

୦୦୦୦

କଟକ (ବିକ୍ରମ କିଶୋର ସେନାପତିଙ୍କ ରିପୋର୍ଟ) : କଟକ-କେନ୍ଦ୍ରାପଡ଼ା ରାସ୍ତାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜିଏସଟି ଯୁଗ୍ମ କମିଶନର ବିଜୟଲକ୍ଷ୍ମୀ ବିଶ୍ୱାଳ ଏବଂ ତାଙ୍କ କାର୍ ଚାଳକ କୈଳାସ ବେହେରା (୫୪) ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

୦୦

ମିଳିଥିବା ସୂଚନା ଅନୁଯାୟୀ, ଜିଏସଟି ଯୁଗ୍ମ କମିଶନର ଶ୍ରୀମତୀ ବିଶ୍ୱାଳ ନିଜ ହୁଣ୍ଡାଇ କାର୍ ଯୋଗେ କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିଲେ। ସାଲେପୁର ଥାନା ଅନ୍ତର୍ଗତ ଭଟ୍ଟପଡ଼ା ନିକଟସ୍ଥ ବୁଲେଟ୍ ଶୋ’ରୁମ୍ ସମ୍ମୁଖରେ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ କାର୍ ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ ଭିତରେ ଥିବା ଉଭୟ ଅଧିକାରୀ ଓ ଚାଳକ ଗୁରୁତର ଆହତ ହୋଇପଡ଼ିଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗି ଉଭୟଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତୁରନ୍ତ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା (ଏସସିବି ମେଡିକାଲ) ସ୍ଥାନାନ୍ତର କରିଥିଲେ। ଅନ୍ୟପକ୍ଷରେ, ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍ ଏବଂ ଟ୍ରକ୍‌କୁ ଜବତ କରି ଥାନାକୁ ନେବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Share