କଟକରେ କ୍ୟାନ୍ସର ପୀଡ଼ିତଙ୍କ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ : କାର୍ଯ୍ୟରତ ହୋମଗାର୍ଡ଼ଙ୍କ ବର୍ବର କାଣ୍ଡ, ମହିଳାଙ୍କୁ ଅସଦାଚରଣ, ପୁରୀଘାଟ ଥାନାରେ ମାମଲା ରୁଜୁ

9926105d f465 47d6 97a9 e744e14c8864

କଟକ : ସହରର ପୁରୀଘାଟ ଥାନା ଅନ୍ତର୍ଗତ ବାଖରାବାଦ ସାହେବଜାଦା ବଜାର ଅଞ୍ଚଳରେ ଏକ ଅଭାବନୀୟ ତଥା ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଘରେ ଶୋଇଥିବା ଅବସ୍ଥାରେ ଏକ ପରିବାର ଉପରେ ପଡ଼ୋଶୀ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ମହିଳାଙ୍କୁ ଅସଦାଚରଣ ଏବଂ କର୍କଟ (କ୍ୟାନ୍ସର) ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ନିର୍ମମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁରୀଘାଟ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବାଖରାବାଦ ଅଞ୍ଚଳର ବାସିନ୍ଦା ପ୍ରମିଳା ବରାଳ (୫୦) ଥାନାରେ ଏ ନେଇ ଲିଖିତ ଅଭିଯୋଗ ଦାୟର କରିଛନ୍ତି। ଅଭିଯୋଗ ଅନୁଯାୟୀ, ରାତିରେ ପରିବାର ସଦସ୍ୟ ବିଶ୍ରାମ ନେଉଥିବା ବେଳେ ପଡ଼ୋଶୀ ଜିତୁ ବରାଳ, ସୁମିତ ବରାଳ, ଉଦୟନାଥ ବରାଳ ଏବଂ ସେମାନଙ୍କର ଅନ୍ୟ ପ୍ରାୟ ୮ ଜଣ ସହଯୋଗୀ ଅତର୍କିତ ଭାବେ ଆସି କବାଟ ବାଡ଼େଇଥିଲେ। ପରିବାର ଲୋକ ବାହାରକୁ ଆସିବା କ୍ଷଣି ସେମାନେ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଉତ୍ତେଜିତ ହୋଇ ହିଂସ୍ର ଆକ୍ରମଣ ଆରମ୍ଭ କରିଦେଇଥିଲେ।

ଆକ୍ରମଣକାରୀମାନେ ପ୍ରମିଳା ବରାଳଙ୍କ ଲୁଗାପଟା ଓ ବ୍ଲାଉଜ୍ ଚିରି ଦେବା ସହ ତାଙ୍କ କାନରୁ ସୁନା କଣ୍ଟି (ଇଅରରିଙ୍ଗ୍) ଝାମ୍ପି ନେଇଥିଲେ ଏବଂ ଅସଦାଚରଣ କରି ଅପହଞ୍ଚ ଅଙ୍ଗ ସ୍ପର୍ଶ କରିବାକୁ ଉଦ୍ୟମ କରିଥିଲେ। ଏହାକୁ ବିରୋଧ କରିବାରୁ ପ୍ରମିଳାଙ୍କ ସ୍ୱାମୀ ସୁବ୍ରତ କୁମାର ବରାଳ, ତାଙ୍କ ଯାଆ ସସ୍ମିତା ବରାଳ ଓ ପୁଅଙ୍କୁ ମଧ୍ୟ ମାରପିଟ୍ କରାଯାଇଥିଲା। ସବୁଠାରୁ ଅମାନୁଷିକ କଥା ହେଉଛି, ପ୍ରମିଳାଙ୍କ ସ୍ୱାମୀ ସୁବ୍ରତ ବରାଳ ବର୍ତ୍ତମାନ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିବା ସତ୍ତ୍ୱେ ଆକ୍ରମଣକାରୀମାନେ ତାଙ୍କ ପୀଡ଼ିତ ଶରୀର ଅଂଶକୁ ଟାର୍ଗେଟ୍ କରି ମାଡ଼ ମାରିଥିଲେ। ଏହି ଆକ୍ରମଣ ସମୟରେ ସ୍ଥାନୀୟ କିଛି ବ୍ୟକ୍ତି ସାକ୍ଷୀ ରହିଥିଲେ।

ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ପୁରୀଘାଟ ଥାନା ଆଇଆଇସି କେସ୍ ନଂ ୪୧୪ ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୧୨୬(୨), ୨୯୬, ୧୧୫(୨), ୭୪, ୩୫୧(୨) ଓ ୩(୫) ଅଧୀନରେ ମାମଲା ରୁଜୁ କରିଛନ୍ତି। ଏଥିସହ ଘଟଣାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏଏସ୍‌ଆଇ ଆର୍. ଏଲ୍. ମଲ୍ଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ଅଞ୍ଚଳରେ ଜଣେ କର୍କଟ ପୀଡ଼ିତ ଓ ତାଙ୍କ ପରିବାର ଉପରେ ଏଭଳି ବର୍ବରୋଚିତ ଆକ୍ରମଣ ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଓ ଅସନ୍ତୋଷ ପ୍ରକାଶ ପାଇଛି।

Share