କଟକ (ବିକ୍ରମ କିଶୋର ସେନାପତିଙ୍କ ରିପୋର୍ଟ) : ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ, ମାହାଙ୍ଗା ଆନୁକୂଲ୍ୟରେ ଏବଂ ଜୟଗୁରୁ ଯୁବ ପରିଷଦ, ଉଷୁମା ସହଯୋଗରେ କବିଙ୍କ ୧୪୪ତମ ଜୟନ୍ତୀ ସମାରୋହ-୨୦୨୬ ରବିବାର ସନ୍ଧ୍ୟାରେ ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଉଷୁମାସ୍ଥିତ ହରି ଗୋସାଇଁ ମଣ୍ଡପଠାରେ ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇଯାଇଛି।


ବିଜୁ ଯୁବ ଜନତା ଦଳ, ମାହାଙ୍ଗା ବ୍ଲକ୍ର ଯୁବ ସଭାପତି ଶ୍ରୀଯୁକ୍ତ ଶରତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାହିତ୍ୟ ସଭାରେ ପୂର୍ବତନ ବିଧାୟକ ତଥା ପୂର୍ବତନ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ବରିଷ୍ଠ ସାହିତ୍ୟିକ ତଥା ସମାଜସେବୀ ଶ୍ରୀଯୁକ୍ତ ଭାଗବତ ଶୁକ୍ଳା ମୁଖ୍ୟବକ୍ତା ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ଅନୁରାଧା ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଗଣକବି ବୈଷ୍ଣବ ପାଣିଙ୍କ କାଳଜୟୀ ସାହିତ୍ୟ ଓ ଗୀତିନାଟ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଦୀପା ମଲ୍ଲିକ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ମହାନ୍ତି, ମାହାଙ୍ଗା ବ୍ଲକ୍ ବିଜେଡି ସଭାପତି ଶ୍ରୀଯୁକ୍ତ ରାଜକିଶୋର ଜେନା, ଜୋନ୍-୪୧ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ଜଗବନ୍ଧୁ ସେଠୀ, ବ୍ଲକ୍ ବିଜେଡି କାର୍ଯ୍ୟକାରୀ ସଭାପତି ତଥା ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦର ସଂପାଦକ ଶ୍ରୀଯୁକ୍ତ ହୃଷିକେଶ ସାହୁ, ଉଷୁମା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମମତାମୟୀ ସୂତାର, ସମିତିସଭ୍ୟ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ବାରିକ ଏବଂ ପଞ୍ଚାୟତ ସଭାପତି ଶ୍ରୀଯୁକ୍ତ ଲୋକନାଥ ପଣ୍ଡା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
ଏହି ଅବସରରେ ଅପରାହ୍ନ ୫ ଘଟିକାରୁ କୁନି କୁନି କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯିବା ସହ କୃତି କଳାକାର ଏବଂ ପାଣି ସାହିତ୍ୟର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ରାତ୍ର ୮ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ କାଳିଆଣ୍ଟିର ଦିବ୍ୟଜ୍ୟୋତି ସାଂସ୍କୃତିକ କ୍ଲବ୍ ପକ୍ଷରୁ ଗୀତିନାଟ୍ୟ ‘ନୀଳମାଧବ’ ଏବଂ ରାତ୍ର ୧୧ ଘଟିକାରୁ ୨ ଘଟିକା ପର୍ଯ୍ୟନ୍ତ କାଳିଆଣ୍ଟି, ଅଲ୍ଲିପୁରର ମା’ ସୁନୁପାଇ ଡ୍ରାମାଟିକ୍ କ୍ଲବ୍ ପକ୍ଷରୁ ଗୀତିନାଟ୍ୟ ‘ବାଣା ପରାଜୟ’ ପରିବେଷଣ କରାଯାଇଥିଲା। ଜୟଗୁରୁ ଯୁବ ପରିଷଦ, ଉଷୁମାର ସଭାପତି ଆଇନ୍ଜୀବି ଶ୍ରୀଯୁକ୍ତ ପ୍ରଦୀପ କିଶୋର ସେଠୀ ଓ ସଂପାଦକ ଶ୍ରୀଯୁକ୍ତ ମାନସ ରଞ୍ଜନ ସେଠୀଙ୍କ ସମେତ ପରିଷଦର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
