ଜାତୀୟ ପ୍ରେସ୍ ଦିବସରେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ମହତ ପଦକ୍ଷେପ: ନୂଆପଡ଼ା ବାଳାଶ୍ରମ ଶିଶୁଙ୍କୁ ଶୀତବସ୍ତ୍ର ଓ ମଧ୍ୟାହ୍ନ ଭୋଜନ ବଣ୍ଟନ

୫

କଟକ, (ବିକ୍ରମ କିଶୋର ସେନାପତିଙ୍କ ରିପୋର୍ଟ) : ସାମ୍ବାଦିକତା କେବଳ ଖବର ପରିବେଷଣ ମଧ୍ୟରେ ସୀମିତ ନୁହେଁ, ବରଂ ସମାଜର ଅବହେଳିତ ଓ ଅସହାୟ ବର୍ଗଙ୍କ ନିକଟରେ ଠିଆ ହେବା ହିଁ ପ୍ରକୃତ ସାମାଜିକ ଦାୟିତ୍ୱବୋଧ। ଏହି ମହତ ଉଦ୍ଦେଶ୍ୟ ନେଇ ‘ଜାତୀୟ ପ୍ରେସ୍ ଦିବସ’ ଅବସରରେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ କଟକ ନୂଆପଡ଼ା ସ୍ଥିତ ବାଳାଶ୍ରମଠାରେ ଏକ ନିଆରା ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଆଶ୍ରମର କୁନି କୁନି ଅନ୍ତେବାସୀମାନଙ୍କୁ ଶୀତକାଳୀନ ବସ୍ତ୍ର ବଣ୍ଟନ କରିବା ସହ ସେମାନଙ୍କ ଗହଣରେ ବସି ସ୍ନେହପୂର୍ଣ୍ଣ ମଧ୍ୟାହ୍ନ ଭୋଜନ କରାଇଥିଲେ।

୧୨୪୯୭

ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନଙ୍କର ଏଭଳି ମାନବିକତା ଓ ସାମାଜିକ ଦାୟିତ୍ୱବୋଧକୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ଭିଜିଲାନ୍ସ ଆଡିସନାଲ ଏସ୍‌ପି (OPS) ସ୍ୱସ୍ତିକ କୁମାର ପଣ୍ଡା, ବିଶିଷ୍ଟ ସମାଜସେବୀ ଚୌଧୁରୀ ପ୍ରଭାତ କେଶରୀ ମିଶ୍ର ଏବଂ ସମାଜସେବୀ ଅକ୍ଷୟ ପଣ୍ଡା ପ୍ରମୁଖ ଯୋଗଦେଇ କୁନି କୁନି ପିଲାମାନଙ୍କୁ ଉତ୍ସାହିତ କରିବା ସହ ପାଠପଢ଼ି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ।

ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ମୁଖ୍ୟ ଉପଦେଷ୍ଟା ବିକ୍ରମ କିଶୋର ସେନାପତି, ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ସମ୍ପାଦକ ନିରଞ୍ଜନ ପଟ୍ଟନାୟକ, କୋଷାଧ୍ୟକ୍ଷ ମନୋଜ ମହାନ୍ତି, ଉପ-ସଭାପତି ମଣ୍ଟୁ ସାହୁ ଓ ମହେଶ ପାଟରା ଏବଂ ଯୁଗ୍ମ ସମ୍ପାଦକ ସିଦ୍ଧାର୍ଥ ଶଙ୍କର ବରାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ସୁଚାରୁରୂପେ ପରିଚାଳିତ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ବୁଲୁ ପାତ୍ର, ମାନସ କୁମାର ନାୟକ, ଆନନ୍ଦ ଦାସ, ସନ୍ତୋଷ କୁମାର ବେହେରା, ରୂପେଶ ବେହେରା, ଗଣେଶ କୁମାର ସାହୁ ଏବଂ ରାଧାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ବସ୍ତ୍ର ଓ ଖାଦ୍ୟ ପରଷିବାରେ ସକ୍ରିୟ ସହଯୋଗ କରିଥିଲେ। ସାମ୍ବାଦିକମାନଙ୍କ ସହ ସମୟ ବିତାଇବା ସହ ନୂଆ ଶୀତବସ୍ତ୍ର ପାଇ ଆଶ୍ରମର ଅନ୍ତେବାସୀମାନଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା।

Share