ଭୁବନେଶ୍ୱର: କିଛି ଦିନର ନୀରବତା ପରେ ପୁଣି ୫ଟି ସଚିବଙ୍କୁ ଘେରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏଥର ସଚିବଙ୍କ ହେଲିକପ୍ଟର ଯାତ୍ରାକୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା।  ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ  ରାଜ୍ୟ ବିଭିନ୍ନ ସ୍ଥାନରେ  ବିରୋଧର ନିଆଁ ଜଳୁଥିବାବେଳେ  ସାଂସଦଙ୍କର ଗୋଟିଏ ଟୁଇଟ ସେ ନିଆଁରେ ଘିଅ ପକାଇବା ପରି ହୋଇଛି ।

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ସଚିବଙ୍କ ଗସ୍ତ ବାବଦ ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଥିଲେ ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ଏହି ଗସ୍ତ ବାବଦରେ ସଚିବ ୩୦୦ କୋଟି ଖର୍ଚ୍ଚ କରି ସାରିଥିବା ସେ କହିଥିଲେ । ଏବେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ସଚିବଙ୍କ ହେଲିକପ୍ଟର ଗସ୍ତକୁ ନେଇ ପ୍ରଶ୍‌ନ ଉଠାଇଛନ୍ତି ।

ସାଂସଦ ଅପରାଜିତା ଆଜି ଏକ ଟୁଇଟ କରି କହିଛନ୍ତି,  ମାତ୍ର ୩୦ରୁ ୪୦ କିମି ଗସ୍ତ ପାଇଁ ସଚିବ ହେଲିକପ୍ଟର ବ୍ୟବହାର କରୁଛନ୍ତି ।  ତାଙ୍କ ଯାତ୍ରା ପାଇଁ ଖର୍ଚ୍ଚ ହେଉଥିବା ଏହି ଅର୍ଥ, ସାଧାରଣ ମିଟିଂ ଆୟୋଜନ କରିବା, ଏସଏଚଜି ମହିଳା ଏବଂ ଛାତ୍ରଛାତ୍ରୀଙ୍କୁ ମିଟିଂସ୍ଥାନକୁ ଆଣିବା ବାବଦରେ ଖର୍ଚ୍ଚ ଅର୍ଥ ଜଣେ କାର୍ଯ୍ୟରତ ବ୍ୟୁରୋକ୍ରାଟଙ୍କର ବ୍ୟକ୍ତିଗତ ଅର୍ଥ ନୁହେଁ ।’

ସେ ଆହୁରି ଲେଖିଛନ୍ତି,  ‘ମୁଖ୍ୟମନ୍ତ୍ରୀଙ୍କ ବର୍ତ୍ତମାନର ଶାରୀରିକ ଓ ମାନସିକ ସ୍ଥିତିର ଫାଇଦା ନେଇ ଜନସାଧାରଣଙ୍କ ଅର୍ଥର ଏପରି ଅବବ୍ୟହାର କରାଯାଉଛି’  । ଟୁଇଟରେ ସେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ଅମିତ ଶାହ ଏବଂ ଜେପି ନଡ୍ଡାଙ୍କୁ ଟାଗ କରିଛନ୍ତି ।

ଏଠି କହିରଖିବୁ, ୫ଟି ସଚିବ ସାରା ରାଜ୍ୟ ବୁଲି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି  । ବିଭିନ୍ନ ସ୍ଥାନରେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ବିରୋଧଭାସ ଦେଖିବାକୁ ମିଳୁଛି । ତେବେ ନିକଟରେ ସତ୍ୟବାଦୀରେ ଏହି ବିରୋଧାଭାସ ଏକ ବିସ୍ଫୋରକ ରୂପ ନେଇଥିଲା । ସଚିବଙ୍କ ଗସ୍ତବେଳେ ଜଣେ ବ୍ୟକ୍ତି ଭିଡ ଭିତରେ ପଶି ତାଙ୍କ ମୁହଁକୁ କାଳି ଫିଙ୍ଗିଥିବା ଦେଖିବାକୁ ମିଳିଥିଲା । କାଳି ସଚିବଙ୍କ ମୁହଁ ସହ ତାଙ୍କ ପାଖରେ ଥିବା ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ ପଡିଥିଲା  ।

Share