Accident

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ମୈହାର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସୋମବାର ବିଳମ୍ବିତ ରାତି ରିୱା ରୋଡ ସ୍ଥିତ ରାଷ୍ଟ୍ରୀୟ ରାଜମାର୍ଗ-୩୦ରେ ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ମୃତକମାନେ ଏକ ଜନ୍ମଦିନ ପାର୍ଟି ସାରି କାରରେ ଘରକୁ ଫେରୁଥିଲେ । ସେହି ସମୟରେ ନାଦାନ ଥାନା ଅଞ୍ଚଳର ରିଘ୍ରା ଗାଁ ନିକଟରେ ସେମାନଙ୍କ କାରଟି ପଛପଟୁ ଟ୍ରକ୍କୁ ଧକ୍କା ଦେଇଥିଲା । ଫଳରେ ଧକ୍କା ଏତେ ଜୋରରେ ଥିଲା ଯେ କାରରେ ଥିବା ଯାତ୍ରୀ ଚିତ୍କାର କରିଥିଲେ । । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । କାରରେ ଥିବା ଲୋକଙ୍କୁ ଉଦ୍ଧାର କରିଥିଲା ପୋଲିସ ।  ପୋଲିସ୍ ଅନୁଯାୟୀ ଏହି ଦୁର୍ଘଟଣାରେ ପଟେଲ ପରିବାରର ୫ ଜଣ ସଦସ୍ୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏହା ସହିତ ଏହି ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଡ୍ରାଇଭରଙ୍କ ଅସାବଧାନତା ନଚେତ୍ ଦ୍ରୁତ ଗତିରେ କାରଟି ଆସୁଥିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ଦୁର୍ଘଟଣାର ସଠିକ୍ କାରଣ ଜଣାପଡିନାହିଁ । ଘଟଣା ଏବେ ତଦନ୍ତାଧୀନ ରହିଛି ।

ଅନ୍ୟପଟେ ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ଲୋକ ଶୋକ ପ୍ରକାଶ କରିଛନ୍ତି । ପୋଲିସ ସମସ୍ତ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଟ୍ରକ୍ ଡ୍ରାଇଭରଙ୍କୁ ଖୋଜାଖୋଜି ଆରମ୍ଭ କରିଛି । ତଦନ୍ତ ଶେଷ ହେବା ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଅଧିକାରୀ କହିଛନ୍ତି ।

Share