Rain

ମୁମ୍ବାଇ: ପ୍ରବଳ ବର୍ଷା ଯୋଗୁଁ ଅନେକ ଜିଲ୍ଲା ବେହାଲ ହୋଇଛି । ଯାହା ମୁମ୍ବାଇ, ପୁଣେ ଓ ନାଶିକ ସମେତ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ପରିସ୍ଥିତିକୁ ଦେଖି ଅନେକ ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ତ୍ର୍ୟମ୍ବକେଶ୍ୱର ମନ୍ଦିରକୁ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ନାଶିକ ଜିଲ୍ଲାର ପାଞ୍ଚଟି ତହସିଲ ପାଇଁ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ତ୍ର୍ୟମ୍ବକେଶ୍ୱର ଓ ଇଗତପୁରୀ ଅଞ୍ଚଳରେ ଗତ ରାତିରୁ ପ୍ରବଳ ବର୍ଷା ଜାରି ରହିଛି । ପାଣିପାଗ ବିଭାଗ ତ୍ର୍ୟମ୍ବକେଶ୍ୱର ନାଶିକ ଅଞ୍ଚଳରେ ବାଦଲ ଫାଟିବା ଭଳି ଅତ୍ୟଧିକ ବର୍ଷା ଏବଂ ପ୍ରାୟ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ପ୍ରକାଶ କରିଛି ।

ପ୍ରବଳ ବର୍ଷା ଓ ରେଡ୍ ଆଲର୍ଟକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତ୍ର୍ୟମ୍ବକେଶ୍ୱର ମନ୍ଦିରକୁ ଭକ୍ତଙ୍କ ଦର୍ଶନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଖରାପ ପାଗ ଯୋଗୁଁ ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ତ୍ର୍ୟମ୍ବକେଶ୍ୱର ମହାଦେବ ମନ୍ଦିର ଓ ନାଶିକର ସପ୍ତଶୃଙ୍ଗୀ ମାତା ମନ୍ଦିରକୁ ମଧ୍ୟ ବନ୍ଦ ରଖାଯାଇଛି । ଦର୍ଶନ ପାଇଁ ଆସିଥିବା ଭକ୍ତମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଥିବା ବେଳେ ତ୍ର୍ୟମ୍ବକେଶ୍ୱର ଅଭିମୁଖେ ଯାଉଥିବା ଗାଡ଼ିଗୁଡ଼ିକୁ ନାଶିକ ଓ ଇଗତପୁରୀରେ ଅଟକାଇ ଫେରାଇ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସତର୍କତା ନିର୍ଦ୍ଦେଶ:
ପାଣିପାଗ ବିଭାଗର ସତର୍କବାଣୀ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ସ୍ଥାନୀୟ ପ୍ରଶାସନକୁ ସମ୍ପୂର୍ଣ୍ଣ ସତର୍କ ରହିବା ଏବଂ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ତୁରନ୍ତ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଗିରିଶ ମହାଜନ ରାତିରେ ନାଶିକରେ ପହଞ୍ଚିଥିଲେ । ସେ ମଧ୍ୟରାତ୍ରିରେ ତ୍ର୍ୟମ୍ବକେଶ୍ୱରର ମେଟଘର କିଲ୍ଲା ପରିଦର୍ଶନ କରି ସେଠାରୁ ୧୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ।

ସେହିପରି ମୁମ୍ବାଇରେ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସକାଳରୁ ଟିକେ ଟିକେ ବର୍ଷା ହେଉଥିବା ବେଳେ ପବନର ବେଗ ମଧ୍ୟ ବଢ଼ୁଛି । ଦିନସାରା ବର୍ଷା ସହ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଅରେଞ୍ଜ ଆଲର୍ଟ ଦୃଷ୍ଟିରେ ମୁମ୍ବାଇର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି । ସରକାରୀ ଓ ଅର୍ଦ୍ଧ-ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ ରଖିବାକୁ କୁହାଯାଇଛି । ଅଧିକାଂଶ ବେସରକାରୀ ସଂସ୍ଥା ମଧ୍ୟ ବନ୍ଦ ରହିଛି । ଅନ୍ୟପଟେ ଏହି ବର୍ଷାରେ ସମୁଦ୍ର କୂଳକୁ ନ ଯିବାକୁ ସତର୍କତା କରାଇଥିଲେ ।

Share