ଭୁବନେଶ୍ୱର: କପିଳେଶ୍ଵର ଠାରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ବିକଟ ଗ୍ରୀଷ୍ମ ଲହରିର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘକାଳୀନ ସମାଧାନ । ବିକାଶ ଓ ପରିବେଶ ପରସ୍ପରର ବିରୋଧୀ ନୁହଁନ୍ତି, ବରଂ ପରିପୂରକ । ଏହି ଦୂରଦର୍ଶୀ ଆଭିମୁଖ୍ୟ ସହ ବନ ସୁରକ୍ଷା ଓ ସବୁଜବଳୟ ସୃଷ୍ଟିରେ ଓଡ଼ିଶା ଆଜି ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି ।
ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୫୫୮ ବର୍ଗ କିଲୋମିଟର ବନ ଓ ବୃକ୍ଷ ଆବରଣ ବୃଦ୍ଧି ପାଇଛି, ଯାହା ଫଳରେ ସମଗ୍ର ଭାରତବର୍ଷରେ ଓଡ଼ିଶା ଆଜି ଗୌରବଜନକ ତୃତୀୟ ସ୍ଥାନ ଅଧିକାର କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ରାଜ୍ୟର ପ୍ରବାହିତ ନଦୀଗୁଡ଼ିକୁ ଚିରସ୍ରୋତା କରିବା ପାଇଁ ‘ସବୁଜ ମହାନଦୀ ମିଶନ’ ଅଧୀନରେ ମହାନଦୀ, ତେଲ୍, ଇବ୍, ବ୍ରାହ୍ମଣୀ, ଋଷିକୁଲ୍ୟା, ବୈତରଣୀ ଓ ବଂଶଧରା ନଦୀ ପାର୍ଶ୍ୱରେ ୧.୫ କିଲୋମିଟର ପ୍ରଶସ୍ତ ସବୁଜ ବଳୟ ସୃଷ୍ଟି କରାଯାଉଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୭୭୪ ହେକ୍ଟର ଅଞ୍ଚଳରେ ୫.୬୫ ଲକ୍ଷ ଚାରା ରୋପଣ କରାଯାଇଥିବା ବେଳେ ୨୦୨୬-୨୭ ବର୍ଷରେ ୨,୭୦୨ ହେକ୍ଟର ଅଞ୍ଚଳରେ ପ୍ରାୟ ୯ ଲକ୍ଷ ଚାରା ରୋପଣର ଲକ୍ଷ୍ୟ ରଖାଯାଇଛି ।
ସେହିପରି ‘ବର୍ଦ୍ଧିତ ସବୁଜ ବଳୟ ଯୋଜନା’ ମାଧ୍ୟମରେ ଚଳିତ ବର୍ଷ ୩,୫୮ ହେକ୍ଟର ଜମିରେ ୧୫ ଲକ୍ଷ ୯୩ ହଜାର ବୃକ୍ଷଚାରା ରୋପଣ କରାଯିବ । ସହରାଞ୍ଚଳରେ ପ୍ରଦୂଷଣ କମାଇବା ପାଇଁ ଚଳିତ ବର୍ଷ ପ୍ରାୟ ୬ ଲକ୍ଷ ୯୫ ହଜାର ଚାରା ରୋପଣର ଲକ୍ଷ୍ୟ ରହିଛି। ‘ଆମ ଜଙ୍ଗଲ ଯୋଜନା’ ଅଧୀନରେ ୧୯,୯୭୫ ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର କରାଯାଇ ୪୩.୧୮ ଲକ୍ଷ ସ୍ଥାନୀୟ ହିତାଧିକାରୀଙ୍କୁ ୧,୪୮୮.୫୨ କୋଟି ଟଙ୍କାର ଜୀବିକା ଭିତ୍ତିକ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।

