ଦୀର୍ଘ ୨୦ ବର୍ଷ କାଳ ଜେଲ୍‌ରେ ରହିବା ପରେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ତାଙ୍କ ପତ୍ନୀ ମଧୁମଣି ତ୍ରିପାଠୀ ଖୁବ୍‌ ଶୀଘ୍ର ମୁକ୍ତ ହେବେ। ମଧୁମିତା ଶୁକ୍ଳା ନାମ୍ନୀ କବି ମର୍ଡର କେସ୍‌ରେ ଫସିଥିବା ଏହି ଦମ୍ପତିଙ୍କ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ଉଭୟ ଏବେ ଉତ୍ତରପ୍ରଦେଶର ଗୋରଖପୁର ଜେଲ୍‌ରେ ବନ୍ଦୀ ଅଛନ୍ତି। ସେମାନଙ୍କ ମୁକ୍ତ ହେବା ନେଇ ଉତ୍ତରପ୍ରଦେଶର ଜେଲ୍‌ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ଏ ନେଇ ନିର୍ଦ୍ଦିଷ୍ଟ ତାରିଖ ଉଲ୍ଲେଖ ହୋଇ ନ ଥିଲେ ବି ସେମାନେ ଖୁବ୍‌ ଶୀଘ୍ର ମୁକୁଳି ପାରନ୍ତି ବୋଲି ଆଶା କରାଯାଉଛି। ଅନ୍ୟ କୌଣସି କେସ୍‌ରେ ଜଡ଼ିତ ନ ଥିଲେ ଏହତି ଦମ୍ପତି ଖୁବ୍‌ ଶୀଘ୍ର ଜେଲ୍‌ ହାଜତରୁ ମୁକୁଳିଯିବେ ବୋଲି ନିର୍ଦ୍ଦେଶାନାମାରେ ଉଲ୍ଲେଖ ଅଛି।

ଉଭୟ ଦୀର୍ଘ ୨୦ ବର୍ଷ କାଳ ଜେଲ୍‌ରେ ରହି ସାରିଥିବା ବେଳେ ସେମାନଙ୍କ ଆଚରଣ, ବ୍ୟବହାର ଓ ବୟସକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଅର୍ଡରରେ ଉଲ୍ଲେଖ ଅଛି।

୨୦୦୩ ମେ’ ୯ରେ ମଧୁମିତା ଶୁକ୍ଳା ନାମ୍ନୀ କବିଙ୍କ ହତ୍ୟା ହୋଇଥିବା ବେଳେ ସିବିଆଇ ଏହି ମାମଲାର ତଦନ୍ତ କରିଥିଲା। ନିଜ ରିପୋର୍ଟରେ ସିବିଆଇ ଅମରମଣି ତ୍ରିପାଠୀ ଓ ତାଙ୍କ ପତ୍ନୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାର ଶୁଣାଣି କରି ଘଟଣାରେ ଡେରାଡୁନ କୋର୍ଟ ଉଭୟଙ୍କୁ ଏହି ଦଣ୍ଡାଦେଶ ଶୁଣାଇଥିଲେ।

ଉଭୟଙ୍କୁ ମୁକ୍ତ କରିବା ନିମନ୍ତେ ମଧୁମଣି ତ୍ରିପାଠୀଙ୍କ ଭଉଣୀ ନିଧି ଶୁକ୍ଳା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବା ପୂର୍ବରୁ ଉଭୟ ମୁକୁଳି ପାରନ୍ତି ବୋଲି ଆଶା କରାଯାଉଛି।

Share