ନୂଆଦିଲ୍ଲୀ:  ଛୋଟ ଅମରନାଥ ଯାତ୍ରା ୨୦୨୩   ।  କାଶ୍ମୀର ବାନ୍ଦୀପୋରା ଜିଲ୍ଲାରେ ପ୍ରାୟ ୯ ବର୍ଷର ବ୍ୟବଧାନ ପରେ ଆରମ୍ଭ ହେବ  ଛୋଟ ଅମରନାଥ ଯାତ୍ରା  । ସେଥିପାଇଁ ଚାଲିଛି ଆୟୋଜନ। ଛୋଟ ଅମରନାଥ ଯାତ୍ରା ଅଗଷ୍ଟ ୩୧ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।   ଗୁମ୍ଫା ଭିତରେ ରହିଥିବା ପବିତ୍ର ବରଫ ଶିବଲିଙ୍ଗକୁ ଭକ୍ତମାନେ ଦର୍ଶନ କରିବେ  ।  ପ୍ରାୟ ୨୫ ବର୍ଷର ବ୍ୟବଧାନ ପରେ  ୨୦୧୩ ମସିହାରେ “ଛୋଟ ଅମରନାଥ ଯାତ୍ରା ” ଆୟୋଜିତ ହୋଇଥିଲା । ହେଲେ ସୁରକ୍ଷାଗତ କାରଣରୁ ୨୦୧୪ ମସିହାରେ ପୁନର୍ବାର ଏହାକୁ ବନ୍ଦ କରି ଦିଆଯାଇଥିଲା।

ବାନ୍ଦୀପୋରା ଜିଲ୍ଲା ସ୍ଥିତ ଆରିନ୍ ଉପତ୍ୟକାର ଘଞ୍ଚ ଜଙ୍ଗଲରେ ଅବସ୍ଥିତ ଏକ ପର୍ବତ ଶିଖରରେ ରହିଛି ମହା ଦାନେଶ୍ୱର ମନ୍ଦିର । ଯାହା ଛୋଟ ଅମରନାଥ ଧାମ ନାମରେ ମଧ୍ୟ ବେଶ୍ ଜଣାଶୁଣା। ଏଠାରେ ପ୍ରାକୃତିକ ଭାବରେ ଏକ ବରଫ ନିର୍ମିତ ଶିବ ଲିଙ୍ଗ ସୃଷ୍ଟି ହୋଇଥାଏ ଓ ପାହାଡରୁ ପାଣି ବୁନ୍ଦା ବୁନ୍ଦା ହୋଇ ଧିରେ ଧିରେ ଏହି ଶିବ ଲିଙ୍ଗ ଉପରେ ପଡ଼ିଥାଏ। ସୂଚନା ମୁତାବକ ଏହି ଗୁମ୍ଫାକୁ ଯିବା ପାଇଁ କେବଳ ଗୋଟିଏ ଦିନ ସମୟ ଲାଗିଥାଏ  । ଏହା ଭିତର  ଖୁବ ସଙ୍କୀର୍ଣ୍ଣ  । ଏକକାଳୀନ ମାତ୍ର ୭ ରୁ ୮ଜଣ ଭକ୍ତ ଦର୍ଶନ କରିପାରିବେ ।

କାଶ୍ମୀରର ବାନ୍ଦୀପୋରା ଜିଲ୍ଲା ଅନ୍ତର୍ଗତ ଅଜାସ ଗ୍ରାମର ଶକ୍ତିଶାଳୀ ପର୍ବତରେ ରହିଛି ଏହି ପ୍ରାକୃତିକ ଗୁମ୍ଫା ଘନ ଜଙ୍ଗଲ ମଧ୍ୟରେ ଅବସ୍ଥିତ। କଠିନ ପର୍ବତ ଆରୋହଣ ପରେ ଆପଣ ସେଠାରେ ପହଞ୍ଚି ପାରିବ। ଏହି ମନ୍ଦିରକୁ ସ୍ଥାନୀୟ ଲୋକେ ଦାନେଶ୍ୱର ମନ୍ଦିର ବୋଲି କହୁଥିବା ବେଳେ କାଶ୍ମୀର ବାହାରେ କିନ୍ତୁ ଏହି ମନ୍ଦିର ଛୋଟ ଅମରନାଥ ଧାମ ନାମରେ ଜଣାଶୁଣା।

ଏହି ମନ୍ଦିରରେ ଶିବ, ପାର୍ବତୀ ଏବଂ ଗଣେଶଙ୍କ ପ୍ରାକୃତିକ ରୂପରେ ନିର୍ମିତ ପ୍ରତିମା ସହିତ କଠିନ ପଥର ଖୋଦେଇ ପ୍ରତିମା ମଧ୍ୟ ରହିଛି। ଗୁମ୍ଫାରେ ରହିଥିବା ଶିବଲିଙ୍ଗ ଉପରେ ଏକ ଜଳ ସ୍ରୋତ ପ୍ରବାହିତ ହୋଇଥାଏ, ଯାହାକୁ ଦୂରରୁ ଦେଖିଲେ କ୍ଷୀର ଭଳି ଦେଖାଯାଏ। ସେଠାକୁ ଯିବା ପାଇଁ ଯାତ୍ରୀ ମାନଙ୍କୁ ୧୫ କିଲୋମିଟର ଲମ୍ବା ରାସ୍ତା ପାଦରେ ଚାଲି ଚାଲି ଯିବାକୁ ପଡ଼ିଥାଏ।

ପୂର୍ବରୁ ଏଠାରେ ବଡ଼ ଧରଣର ମେଳା ଆୟୋଜିତ ହେଉଥିଲା  ।  ପ୍ରତିବର୍ଷ ‘ଶ୍ରାବଣ ପୂର୍ଣ୍ଣିମା’ ଅବସରରେ ଏହି ବିଶାଳ ମେଳା ହୋଇଥାଏ ।୩ ଦିନ ପର୍ଯ୍ୟନ୍ତ ମେଳା ଚାଲେ । କେବଳ କାଶ୍ମୀର ଉପତ୍ୟକାରୁ ନୁହେଁ ବରଂ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ସେଠାକୁ ଆସୁଥିଲେ। କିନ୍ତୁ ନବେ ଦଶକରେ କାଶ୍ମୀର ଘାଟିର ଅବସ୍ଥା ବିଗିଡିବା କାରଣରୁ ଏସବୁ ବନ୍ଦ୍ ହୋଇଯାଇଥିଲା ।

ଏହି ଗୁମ୍ଫା ମନ୍ଦିର କେବେ ନିର୍ମିତ ହୋଇଛି ତାହା ଉପରେ କୌଣସି ଠୋସ୍ ପ୍ରମାଣ ନାହିଁ ।  କିନ୍ତୁ ବାନ୍ଦିପୋର ଜିଲ୍ଲାର ଲୋକଙ୍କ  ଅନୁଯାୟୀ,  ସ୍ଥାନୀୟ ଜମିଦାର ଅଫତାବ କୌଲଙ୍କ ପୂର୍ବ ପୁରୁଷମାନେ ସର୍ବପ୍ରଥମେ ମହା ଦାନେଶ୍ୱର ମନ୍ଦିର ବିଷୟରେ ଜାଣିବାକୁ ପାଇଥିଲେ।

ପ୍ରାୟ ୨୫ ବର୍ଷ ପୂର୍ବେ ଛୋଟ ଅମରନାଥ ଯାତ୍ରା ସ୍ଥାନୀୟ ଅଞ୍ଚଳ ପାଇଁ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିଲା। କାରଣ ଏହି ଯାତ୍ରା ସେମାନଙ୍କର ବର୍ଷକର ଆୟର ଏକମାତ୍ର ଉତ୍ସ ରହିଥିଲା।  ହେଲେ ଏହି ଯାତ୍ରା ବନ୍ଦ ହେବା ପରେ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ଉପରେ ପ୍ରଭାବ ପକାଇଥିଲା । ହେଲେ ଏବେ ଛୋଟ ଅମରନାଥ ଯାତ୍ରା ପୁଣି ଥରେ ପୁର୍ବ ଭଳି ଆରମ୍ଭ ହେବାକୁ ଯାଉଥିବାରୁ ସେଠାକାର ସ୍ଥାନୀୟ ଲୋକେ ବେଶ୍ ଖୁସି ଅଛନ୍ତି  ।

Share