High

ମୁମ୍ବାଇ: ଆଇନ ବ୍ୟବସ୍ଥା ପ୍ରତି ଧ୍ୟାନ ନ ଦେଇ ତୁରନ୍ତ ନ୍ୟାୟ ଦେଉଥିବା ‘ହିରୋ ପୁଲିସ’ ଚରିତ୍ର ପ୍ରଦର୍ଶନ କରୁଥିବା ‘ସିଂଘମ୍‌’ ପରି ସିନେମା ସବୁ ଅତ୍ୟନ୍ତ କ୍ଷତିକାରକ ବାର୍ତ୍ତା ପ୍ରସାରଣ କରୁଛନ୍ତି ବୋଲି ଶୁକ୍ରବାର ଦିନ ବମ୍ବେ ହାଇକୋର୍ଟର ବିଚାରପତି ଗୌତମ ପଟେଲ୍‌ କହିଛନ୍ତି।

ବାର୍ଷିକ ଦିବସ ଓ ପୁଲିସ ସଂସ୍କାର ଦିବସ ପାଳନ ଅବସରରେ ‘ଇଣ୍ଡିଆନ୍‌ ପୋଲିସ ଫାଉଣ୍ଡେସନ୍’ ଆୟୋଜନ କରିଥିବା କାର୍ଯ୍ୟକ୍ରମରେ ଉଦ୍‌ବ‌ୋଧନ ଦେବା ବେଳେ ବିଚାରପତି ପଟେଲ୍‌ ଆଇନ ପ୍ରକ୍ରିୟା ପ୍ରତି ଜନସାଧାରଣ ଅଧୈର୍ଯ୍ୟ ହୋଇପଡୁଥିବା କଥା ବି ଉଠାଇଛନ୍ତି।

ପୁଲିସ ସଂସ୍କାର ପ୍ରସଙ୍ଗରେ ସେ କହିଛନ୍ତି ଯେ, ପ୍ରକାଶ ସିଂହ ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ‘ସୁଯୋଗ ହରାଇବା’ ଭଳି କଥା ହେଲା। ବାସ୍ତବ କଥା ହେଲା ଆମେ ନିଜକୁ ନିଜେ ସଂସ୍କାର ନ କଲେ ଆଇନ ପ୍ରଣୟନକାରୀ ବ୍ୟବସ୍ଥାରେ ସଂସ୍କାର ଅଣାଯାଇ ପାରିବ ନାହିଁ।

ପୁଲିସ ‘ସ୍ବେଚ୍ଛାଚାରୀ, ଦୁର୍ନୀତିଗ୍ରସ୍ତ ଓ ଉତ୍ତରଦାୟିତ୍ବହୀନ’ ବୋଲି ସାଧାରଣରେ ଧାରଣା ରହି ଆସିଛି। କେବଳ ସେତିକି ନୁହେଁ, ବିଚାରପତି, ରାଜନେତା ଓ ସାମ୍ବାଦିକମାନଙ୍କ ପ୍ରତି ମଧ୍ୟ ସାଧାରଣରେ ଏହି ଧାରଣା ରହିଛି।

ଅଦାଲତ ନିଜ କର୍ତ୍ତବ୍ୟ କରୁନାହିଁ ବୋଲି ସର୍ବସାଧାରଣ ଭାବୁଥିବା ବେଳେ ପୁଲିସ ନ୍ୟାୟ ଦେଲେ ସେମାନେ ଖୁସି ହୋଇଯାଉଛନ୍ତି। ସେହି କାରଣରୁ, ଖସିଯିବାକୁ ଉଦ୍ୟମ କରୁଥିଲା ବୋଲି କହି ଜଣେ ଦୁଷ୍କର୍ମକାରୀଙ୍କୁ ‘ଏନ୍‌କାଉଣ୍ଟର୍‌’କରି ମାରିଦେଲେ ଲୋକେ ଉଚିତ ହୋଇଛି କହି ଆନନ୍ଦିତ ହେଉଛନ୍ତି। ଉପଯୁକ୍ତ ବିଚାର ହୋଇଛି ବୋଲି ସେମାନେ ଭାବୁଛନ୍ତି, କିନ୍ତୁ ତାହା ଉପଯୁକ୍ତ ବିଚାର କି? ବୋଲି ବିଚାରପତି ପଟେଲ କହିଛନ୍ତି।

ଗୁରୁତ୍ବାରୋପ କରି ସେ ଆହୁରି ମଧ୍ୟ କହିଛନ୍ତି, ବିଶେଷ କରି, ହିନ୍ଦୀ ସିନେମାରେ ପ୍ରଦର୍ଶିତ ଏଭଳି ଦୃଷ୍ଟିକୋଣ ସୁଦୂରପ୍ରସାରୀ ଓ ସର୍ବସାଧାରଣକୁ ଖୁବ୍‌ ଆଲୋଡ଼ିତ କରୁଛି।

Share