ସିକ୍କିମ: ସିକ୍କିମରେ ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ୍ । ୭ ଶ୍ରମିକ ମୃତ, ୨୭ରୁ ଊର୍ଦ୍ଧ୍ବ ମାଟି ତଳେ ଫସିଥିବା ଆଶଙ୍କା । ଭୟଙ୍କର ଭୂସ୍ଖଳନ ଓ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁ ୭ଜଣ ଶ୍ରମିକ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । ନାମଚି ଜିଲ୍ଲା ସମରଦୁଙ୍ଗ ଟନେଲରେ ଘଟିଛି ଏହି ଭୟଙ୍କର ଭୂସ୍ଖଳନ। ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରାୟ ୨୭ ଜଣ ଶ୍ରମିକ ଏବେ ବି ମାଟି ତଳେ ଫସି ରହିଥିବା ଆଶଙ୍କା କରାଯାଉଛି ।
ମାମରିଙ୍ଗ୍ ନିକଟସ୍ଥ ସମରଦୁଙ୍ଗ, ଝୋଲୁଙ୍ଗେରେ ନିର୍ମାଣାଧୀନ ADIT-3 ଟନେଲରେ ଏହି ଦୁର୍ଘଟଣା ଘଟିଛି । NHPCର ତିସ୍ତା ଷ୍ଟେଜ୍-୬ ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରକଳ୍ପର ଏହି ଟନେଲ କାର୍ଯ୍ୟ ଏକ ଅଂଶବିଶେଷ । ହଠାତ୍ ଭୂସ୍ଖଳନ ଯୋଗୁଁ ଟନେଲର ପ୍ରବେଶ ପଥ ବନ୍ଦ ହୋଇଯାଇଥିଲା । ଏହାପରେ ମାଟିତଳୁ ମାରାତ୍ମକ ମିଥେନ ଗ୍ୟାସ ଲିକ୍ ହୋଇଥିଲା । ପ୍ରାଥମିକ ରିପୋର୍ଟ ଅନୁଯାୟୀ ଟନେଲ ଭିତରେ ମିଥେନ ଗ୍ୟାସ ବିସ୍ଫୋରଣ ମଧ୍ୟ ହୋଇଛି ।
NDRF, SDRF ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଟନେଲ ଭିତରେ ମିଥେନ ଗ୍ୟାସର ମାତ୍ରା ଅଧିକ ଥିବାରୁ ଅମ୍ଳଜାନର ସ୍ତର ଖୁବ୍ କମିଯାଇଛି । ଯେଉଁଥିପାଇଁ କେତେକ ଉଦ୍ଧାର କାର୍ଯ୍ୟରେ ବ୍ୟାପକ ବାଧା ସୃଷ୍ଟି ହୋଇଛି । ଏଥିଯୋଗୁ କେତେକ ଉଦ୍ଧାରକାରୀଦଳ ମଧ୍ୟ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଥିପାଇଁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଆଉ ଏକ ବାଧା ସାଜିଛି ଅନ୍ଧାର ଓ ସଂକୀର୍ଣ୍ଣ ରାସ୍ତା । ପ୍ରାଥମିକ ସୂଚନା ଅନୁଯାୟୀ ୭ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଟନେଲରେ ଏକାଧିକ ଶ୍ରମିକ ଫସି ରହିଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ପ୍ରକାଶ ପାଇଛି ।

