ନୂଆଦିଲ୍ଲୀ: ୟୁକ୍ରେନ୍ ର ଓଡେସା ବନ୍ଦର ନିକଟରେ ମାଲବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ । ଆକ୍ରମଣରେ ୪ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିବା ବେଳେ, ଜଣେ ଗୁରୁତର ଅଛନ୍ତି । ୟୁକ୍ରେନ୍ ର ଓଡେସା ବନ୍ଦରରୁ ବାହାରୁଥିବା ଏକ ବ୍ୟାବସାୟିକ ମାଲବାହୀ ଜାହାଜ ‘MV Golden Leo’ ଉପରେ ଜୁଲାଇ ୧୯ ସନ୍ଧ୍ୟାରେ ଏକ ଭୟଙ୍କର କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି । ଏହି ଦୁର୍ଭାଗ୍ୟଜନକ ଘଟଣାରେ ୪ ଜଣ ଭାରତୀୟ ନାବିକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଭାରତୀୟ ଗୁରୁତର ଭାବେ ଆହାତ ହୋଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆକ୍ରମଣ ସମୟରେ ଜାହାଜରେ ମୋଟ ୧୭ ଜଣ କ୍ରିୟୁ ସଦସ୍ୟ ଥିଲେ, ଯେଉଁଥିରେ ୫ ଜଣ ଭାରତୀୟ ନାବିକ ସାମିଲ ଥିଲେ ।
ଏଥିମଧ୍ୟରୁ ୪ ଜଣ ପ୍ରାଣ ହରାଇଥିବା ବେଳେ ୫ମ ଭାରତୀୟ ନାବିକ ଜଣଙ୍କୁ ଗୁରୁତର ଅବସ୍ଥାରେ ୟୁକ୍ରେନ୍ ର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗିନି-ବିସାଉ ପତାକା ବିଶିଷ୍ଟ ଏହି ବଲ୍କ କ୍ୟାରିଅର୍ ଜାହାଜଟି ଏକ ତୁର୍କୀ କମ୍ପାନୀର ଅଟେ । ଏହା ଓଡେସା ବନ୍ଦରରୁ ଶସ୍ୟ ନେଇ ବାହାରୁଥିବା ବେଳେ ଏହି ଆକ୍ରମଣର ଶିକାର ହୋଇଥିଲା । ଋଷ କ୍ଷେପଣାସ୍ତ୍ର ମାଡ଼ରେ ଜଣେ ୟୁକ୍ରେନୀୟ ମାରିଟାଇମ୍ ପାଇଲଟଙ୍କ ସମେତ ମୋଟ ୧୦ ଜଣ ପ୍ରାଣ ହରାଇଛନ୍ତି । ୮ ଜଣ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇପାରିଛି । ୟୁକ୍ରେନ୍ ପ୍ରଶାସନ ଏହାକୁ ସାଧାରଣ ବ୍ୟାବସାୟିକ ଜାହାଜ ଉପରେ ଏକ ଅମାନୁଷିକ ଆକ୍ରମଣ ବୋଲି ଅଭିହିତ କରିଛି ।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛି । ସାଧାରଣ ବ୍ୟାବସାୟିକ ଜାହାଜ ଏବଂ ନିରୀହ କର୍ମଚାରୀଙ୍କୁ ଲକ୍ଷ୍ୟ କରି ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ । ସମୁଦ୍ରପଥରେ ଯାତାୟାତ ଓ ବାଣିଜ୍ୟ ସ୍ୱାଧୀନତାକୁ ବାଧା ପହଞ୍ଚାଉଥିବା ଏପରି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଭାରତ ଆହ୍ୱାନ ଦେଇଛି । ୟୁକ୍ରେନ୍ ରେ ଥିବା ଭାରତୀୟ ଦୂତାବାସ ସ୍ଥିତି ଉପରେ ନଜର ରଖିଛି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ, ମୃତ ନାବିକମାନଙ୍କ ପାର୍ଥିବ ଶରୀରକୁ ଚିହ୍ନଟ କରି ଭାରତ ଫେରାଇ ଆଣିବା ପାଇଁ ସରକାର ୟୁକ୍ରେନ୍ ପ୍ରଶାସନ ସହ ସମନ୍ୱୟ ରକ୍ଷା କରୁଛନ୍ତି ।

