Ewr

ଭାରତ ଓ କାନାଡା ସମ୍ପର୍କରେ ଦେଖାଦେଇଥିବା ତିକ୍ତତା କମିବା ନାଁ ଧରୁନି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟାକାଣ୍ଡକୁ ନେଇ ଉଭୟ ଦେଶ ସମ୍ପର୍କ ବିଗିଡ଼ିଥିବା ବେଳେ ଖଲିସ୍ତାନୀ ସଂଘ ସିଖ ଫର୍‌ ଜଷ୍ଟିସ୍‌ (SFJ) ପକ୍ଷରୁ କାନାଡାର ପ୍ରମୁଖ ସହରରେ ଭାରତୀୟ ରାଜନୈତିକ ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ ପାଇଁ ଆହ୍ୱାନ ଦେଇଛି।

ଖଲିସ୍ତାନୀ ସଙ୍ଗଠନର ଆହ୍ୱାନ କ୍ରମେ କାନାଡାର ପ୍ରମୁଖ ସହର ଓଟୱା, ଟୋରଣ୍ଟୋ  ଆଦି ସହରରେ ଥିବା ଭାରତୀୟ ଦୂତାବାସ ସମ୍ମୁଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଦୂତାବାସ ସମ୍ମୁଖରେ ପୁଲିସ୍‌ କର୍ମୀ ଓ ସଂଘୀୟ ପୁଲିସ୍‌ କର୍ମୀଙ୍କୁ ମୁତୟନ କରାଯାଇଛି। ସୁଣକ୍ଷା ଦୃଷ୍ଟିରୁ କାନାଡା ପୁଲିସ୍‌ ଭାରତ ଦୂତାବାସ ଚାରିପଟେ ବ୍ୟାରିକେଡ କରି ଦେଇଛି।

ଶିଖ ଫର ଜଷ୍ଟିସ୍‌ ସଙ୍ଗଠନର ନିର୍ଦ୍ଦେଶକ ଜତିନ୍ଦର ସିଂ ଗ୍ରୋବାଲ ରବିବାର ଦେଇଥିବା ସୂଚନା ଅନୁଯାୟୀ, ନିଜ୍ଜର ହତ୍ୟା ଘଟଣା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବାକୁ ପ୍ରମୁଖ ଭାରତୀୟ ଦୂତାବାସ ଓ ବାଣିଜିକ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ । ଏଥିସହ କାନାଡାରେ ଥିବା ଭାରତର ରାଜଦୂତଙ୍କୁ ବହିଷ୍କାର କରିବାକୁ ସେ ଦାବି ଜଣାଇଛନ୍ତି।

ସୂଚନା ଅନୁସାରେ, ଚଳିତ ବର୍ଷ ଜୁନ୍ ୧୮ରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରକୁ କାନାଡ଼ାରେ ଗୁଳି କରି ହତ୍ୟା କରାଯାଇଥିଲା। ଜି-୨୦ରୁ ଫେରିବା ପରେ କାନାଡା ଏ ପ୍ରସଙ୍ଗକୁ ଦୋହରାଇଥିଲା। ନିଜ୍ଜାର ହତ୍ୟାରେ ଭାରତୀୟ ସରକାରୀ ଏଜେଣ୍ଟଙ୍କ ହାତ ଥିବା ସିଧାସଳଖ ଅଭିଯୋଗ କରିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ। ଏପରିକି ଭାରତୀୟ କୂଟିନୀତିଜ୍ଞଙ୍କୁ ମଧ୍ୟ ବହିଷ୍କାର କରିଥିଲେ।

ଏହାର ‘ଯେସାକୁ ତେସା’ ନୀତିରେ ଜବାବ ଦେଇଥିଲେ ଭାରତ ସରକାର। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତ ସରକାର ତୁରନ୍ତ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ସହ ୫ ଦିନ ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଦୁଇ ଦେଶ ନିଜ ନିଜ ନାଗରିକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।

Share