Screenshot 2023 11 13 134858 e1699864283497

ଭୁବନେଶ୍ୱର: ଦୀପାବଳି ରାତିରେ କଳାକନା ବୁଲାଇଲେ ଲୁଟେରା। ଗୋଟେ ପଟେ ଚାଲିଥିଲା ବାଣ ଫୁଟା, ଅନ୍ୟପଟେ ଚାଲିଥିଲା ଲୁଟପାଟ୍। ପରିବାର ଲୋକେ ବାଣ ଫୁଟାଉଥିବାର ସୁଯୋଗ ନେଇ ଘରେ ପଶି ଲୁଟିଲେ ନଗଦ ଟଙ୍କା ସହ ସୁନା ଗହଣା। ଏପରି ଘଟଣା ଘଟିଛି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ।

ଆଲୋକର ପର୍ବ ଦୀପାବଳି ଚାରି ଆଡ଼େ ଆନନ୍ଦ ଉତ୍ସାହର ମାହୋଲ ଚାଲିଥିବା ବେଳେ ଲୁଟେରାଙ୍କ ଟାର୍ଗେଟ ଥିଲା ଘରେ ପଶି ଲୁଟପାଟ କରିବା। ଖଣ୍ଡଗିରି ଅଞ୍ଚଳର ଜଣେ ଭଦ୍ରବ୍ୟକ୍ତିଙ୍କ ଘରେ ଘଟିଛି ଏପରି ଘଟଣା। ସ୍ୱାମୀ, ସ୍ତ୍ରୀ, ଓ ପୁଅ ଘର ବାହାରେ ବାଣ ଫୁଟାଉଥିଲେ। ଏହାର ସୁଯୋଗ ନେଇ ଲୁଟେରା ମାନେ ଘରେ ପଶି କଳାକନା ବୁଲାଇଥିଲେ। ଅଭିଯୋଗ ଅନୁସାରେ, ଦୁବୃର୍ତ୍ତମାନେ ଘରେ ପଶି ୫ଟି ସୁନା ମୁଦି, ମଙ୍ଗଳସୂତ୍ର, ୨ଟି କାନ ଫୁଲ ଓ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ଘଟଣା ସମ୍ପର୍କରେ ପରିବାର ସଦସ୍ୟ କହିଛନ୍ତି ଯେ ବାଣ ଫୁଟାଇବା ପାଇଁ ବାହାରକୁ ସମସ୍ତ ସଦସ୍ୟ ଯିବା ବେଳେ ଦୁର୍ବୃତ୍ତମାନେ ବିଲ୍ଡିଂର କୌଣସି ଏକ ସ୍ଥାନରେ ଲୁଚି ରହିଥିଲେ। ଠିକ ସମୟର ସୁଯୋଗ ଉଠାଇ ସେମାନେ ଘର ଭିତରେ ପଶି ଲୁଟପାଟ ଆରମ୍ଭ କରିଥିଲେ। ପରିବାର ଲୋକେ ଯେତେବେଳେ ଘରକୁ ଫେରି ଶୋଇଗଲେ ସେହି ସମୟରେ ଦୁର୍ବୃତ୍ତମାନେ ଖସି ପଳାଇଥିଲେ। ତେବେ ଉକ୍ତ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଛି ଏବଂ ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

Share