Gaza 2

ଜେରୁଜେଲମ୍‌: ଦୀର୍ଘ ୧୬ ବର୍ଷ ଶାସନ କରିବା ପରେ ହମାସ୍‌ ଗାଜା ଷ୍ଟ୍ରିପ୍‌ ଉପରୁ ନିୟନ୍ତ୍ରଣ ହରାଇଥିବା କଥା ଆଜି ଇସ୍ରାଏଲ୍‌ର ପ୍ରତିରକ୍ଷା ମନ୍ତ୍ରୀ ୟୋୟଭ୍‌ ଗାଲାଣ୍ଟ୍‌ କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’ ରିପୋର୍ଟ କରିଛି।
ଇସ୍ରାଏଲ୍‌ର ମୁଖ୍ୟ ଟେଲିଭିଜନ୍‌ ଷ୍ଟେସନ୍‌ଗୁଡ଼ିକରୁ ପ୍ରସାରିତ ଗୋଟାଏ ଭିଡିଓରେ ଗାଲାଣ୍ଟ୍‌ କହିଛନ୍ତି, ହମାସ୍‌ ଗାଜା ଉପରୁ ନିୟନ୍ତ୍ରଣ ହରାଇଛି। ଆତଙ୍କବାଦୀମାନେ ଦାକ୍ଷିଣାତ୍ୟ ଆଡ଼କୁ ପଳାୟନ କରୁଛନ୍ତି। ସାଧାରଣ ନାଗରିକମାନେ ହମାସ୍‌ ଘାଟିରେ ଲୁଟ୍‌ତରାଜ ଚଳାଇଛନ୍ତି। ସେମାନଙ୍କର ଆଉ ସରକାରଙ୍କ ଉପରେ ଭରସା ନାହିଁ।
ସ୍ମରଣଯୋଗ୍ୟ, ଅକ୍ଟୋବର ୭ ତାରିଖ ଦିନ ହମାସ୍‌ ଇସ୍ରାଏଲ୍‌ ଉପରକୁ ୫୦୦୦ ରକେଟ୍‌ ନିକ୍ଷେପ କରିବା ଓ ତା’ର ବନ୍ଧୁକଧାରୀ ଆତଙ୍କବାଦୀମାନେ ଇସ୍ରାଏଲୀୟ ସହରଗୁଡ଼ିକରେ ପ୍ରବେଶ କରି ଗୁଳି ଚଳାଇବା ଘଟଣା‌ର ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ୍‌ ପ୍ରତିଜ୍ଞାବଦ୍ଧ ହୋଇ ଗାଜା ଷ୍ଟ୍ରିପ୍‌ ଉପରେ ଆକ୍ରମଣ ଜାରି ରଖିଛି।
ହମାସ୍‌ ଶାସନାଧୀନ ଗାଜା ଷ୍ଟ୍ରିପ୍‌ର ଉପସ୍ବାସ୍ଥ୍ୟ ମନ୍ତ୍ରୀ ୟୁସେଫ୍‌ ଆବୁ ରିଶ୍‌ କହିଛନ୍ତି ଯେ, ଦେଶର ଉତ୍ତର ପ୍ରାନ୍ତରେ ଥିବା ସମସ୍ତ ଡାକ୍ତରଖାନାରେ ବିଜୁଳି ଅଭାବରୁ ରୋଗୀ ସେବା ବ୍ୟାହତ ହୋଇଛି। ଏହି କାରଣରୁ ଗାଜାର ସର୍ବବୃହତ୍‌ ସ୍ବାସ୍ଥ୍ୟ କେନ୍ଦ୍ର ‘ଅଲ୍‌-ଶିଫା ହସ୍ପିଟାଲ୍‌’ରେ ସମ୍ପ୍ରତି ୭ଜଣ ଅପରିପକ୍ବ ଶିଶୁ ଓ ୨୭ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି।
ଗାଜା ସମୁଦାୟ ଇସ୍ରାଏଲ୍‌ ଅଧୀନକୁ ଚାଲିଯାଇଛି ଏବଂ ସେଠାରେ ଖାଦ୍ୟ, ପାନୀୟ ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତାର ସଙ୍କଟ ଦେଖା ଦେଇଛି। ସେଥିପାଇଁ ଆଜି ପାଲେଷ୍ଟାଇନ୍‌ର ପ୍ରଧାନମନ୍ତ୍ରୀ ମହମ୍ମଦ୍‌ ସ୍ତ୍ୟାୟେହ୍‌ ‘ୟୁରୋପିୟାନ୍‌ ୟୁନିୟନ୍‌’ ଓ ‘ଜାତିସଂଘ’କୁ ‘ପାରାସୁଟ୍‌ ସହାୟତା’ ପାଇଁ ନିବଦେନ କରିଛନ୍ତି।
ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଯୁକ୍ତରାଷ୍ଟ୍ର ଆମେରିକାର ଗଣମାଧ୍ୟମକୁ କହିଛନ୍ତି, ଗାଜାରେ ହମାସ୍‌ ପଣବନ୍ଦୀ ରଖିଥିବା ଜନତାଙ୍କୁ ମୁକ୍ତ କରିବା ଲାଗି ଗୋଟାଏ ରାଜାନାମା ହୋଇପାରେ। କିନ୍ତୁ, ସମ୍ଭାବ୍ୟ ଯୋଜନାରେ ବିଭ୍ରାଟ ଘଟିବାର ଆଶଙ୍କା କରି ସେ ଏ ବିଷୟରେ ସବିଶେଷ ବିବରଣୀ ଦେଇ ନାହାନ୍ତି।

Share