IMAGE

କୋଲକାତା : ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରାଙ୍କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ବୟାନ ଦେଇଛନ୍ତି। ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲାରେ ଅଭିଯୁକ୍ତ ଥିବା ଟିଏମ୍‌ସି ସାଂସଦ ମହୁଆଙ୍କୁ ଲୋକସଭାରୁ ବହିଷ୍କୃତ କରିବା ପାଇଁ ଯୋଜନା ଚାଲିଛି। ଏଭଳି ଯଦି ହୁଏ ତେବେ ଏହା ମହୁଆଙ୍କ ପାଇଁ ୨୦୨୪ ନିର୍ବାଚନ ଲାଗି ଲାଭଦାୟକ ହେବ ବୋଲି କହିଛନ୍ତି ମମତା।
କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଥମ ଥର ପାଇଁ ମହୁଆଙ୍କୁ ନେଇ ମୁହଁ ଖୋଲିଛନ୍ତି ମମତା। ତାଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗ ଆସିବା ପରଠାରୁ ସେ ଚୁପ୍‌ ଥିଲେ। ହେଲେ ଆଜି ମହୁଆଙ୍କ ସପକ୍ଷରେ ବାହାରିଛନ୍ତି ମମତା। ମହୁଆଙ୍କୁ ଲୋକସଭାରୁ ବିଦା କରିବାକୁ ନେଇ ଚକ୍ରାନ୍ତ ଚାଲିଥିବା ସେ ଅଭିଯୋଗ ଆଣିଛନ୍ତି। ତେବେ ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲା ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କିଛି କହିନାହାନ୍ତି।
କିଛି ଦିନ ପୂର୍ବେ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ଘେରି ରହିଥିବା ମହୁଆଙ୍କୁ ତୃଣମୂଳ କଂଗ୍ରେସ ଏକ ନୂଆ ଦାୟିତ୍ୱ ଦେଇଥିଲା। ତାଙ୍କୁ କୃଷ୍ଣନଗରରେ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଥିଲା।
ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ମହୁଆଙ୍କ ବିରୋଧରେ ଏଥିକ୍ସ କମିଟି ତଦନ୍ତ କରିଥିଲା। ତନନ୍ତ ପରେ ୧୦ ତାରିଖରେ ଲୋଭସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଏଥିକ୍ସ କମିଟି ରିପୋର୍ଟ ପଠାଇ ଦେଇଥିଲା। ମହୁଆଙ୍କ ବିରୋଧରେ କ’ଣ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ଅଗକୁ ବାଚସ୍ପତି ନିଷ୍ପତ୍ତି ନେବେ।

Share