Police

ଗାଡି ଚଢ଼ାଇ ହତ୍ୟା ଅଭିଯୋଗରେ ସରପଞ୍ଚଙ୍କ ସମେତ ୩ ଗିରଫ। ଏପରି ବୀଭତ୍ସ ଘଟଣା ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳରେ ଘଟିଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ସରପଞ୍ଚଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି।

ଡିସେମ୍ୱର ୧ ତାରିଖ ସନ୍ଧ୍ୟା ବେଳେ ବାଟଗାଁର ଯୁବ ବ୍ୟବସାୟୀ ବାବୁଲା ଦେହୁରୀ ବାଇକ୍‌ରେ ନାକଟିଦେଉଳ ଅଭିମୁଖେ ଯାଉଥିଲେ। ତେବେ ସିରିଗିଡା ବୁଲାଣି ବୁଲାଣି ରାସ୍ତାରେ ତାଙ୍କୁ ପଛ ପାର୍ଶ୍ୱରୁ କାର୍‌ରେ ଧକ୍କା ଦେଇଥିଲେ ସାହେବୀ ସରପଞ୍ଚ ରାମ ପ୍ରସାଦ ସାହୁ! ଦୁର୍ଘଟଣାରେ ବାବୁଲାଙ୍କ ଗୁରୁତର ଆହତ ହୋଇଥିଲେ। ହେଲେ ସରପଞ୍ଚ ଶ୍ରୀ ସାହୁ ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିବା ପରିବର୍ତ୍ତେ ପଳାଇ ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରେଢାଖୋଲ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେପଟେ ବାବୁଲାଙ୍କ ବାଇକକୁ ଧକ୍କା ଦେଇ ସରପଞ୍ଚ କାର୍‌ ଧରି ଚମ୍ପଟ ମାରିଥିଲେ। ସେ ନିଜ କାର୍‌କୁ ରେଢାଖୋଲର ଏକ ହୋଟେଲ ପାଖରେ ଲୁଚାଇ ଦେଇଥିଲେ। ପ୍ରମାଣ ନଷ୍ଟ ପାଇଁ କାର ନମ୍ୱର ପ୍ଲେଟ ଖୋଲି ଦେଇ ଫେରାର ହୋଇଯାଇଥିଲେ। ବାବୁଲାଙ୍କ ମୃତ୍ୟୁ ପରେ ତାଙ୍କ ସାନ ଭାଇ ଏନେଇ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଥିଲା।

ଅନ୍ୟପକ୍ଷରେ ଗିରଫ ଭୟରେ ସାହେବୀ ସରପଞ୍ଚ ରାମ ପ୍ରସାଦ ସାହୁ ଭୁବନେଶ୍ୱର ପଳାଇ ଆସିଥିଲେ। ଏଠାରେ ସେ ଆତ୍ମଗୋପନ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ପୁଲିସ୍‌ ଭୁବନେଶ୍ୱରରେ ପହଞ୍ଚିଥିଲା। କମିଶନରେଟ୍‌ ପୁଲିସ୍‌ର ସହଯୋଗରେ ସରପଞ୍ଚଙ୍କୁ ଧରିଥିଲା ନାକଟିଦେଉଳ ଥାନା ପୁଲିସ୍‌। ସରପଞ୍ଚଙ୍କୁ ସେହି ଘଟଣାରେ ସହେଯାଗ କରିଥିବା ସାହେବୀ ଗାଁର ବାରୁ ଦେହୁରୀ ଓ ରେଢାଖୋଲ ଗଣେଶ ନଗରର ନାରାୟଣ ଦେହୁରୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

Share