Img 20231208 wa0000 750x430

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ବର୍ଷିଛନ୍ତି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଓ ସଚେତନତା ଅଭାବ କାରଣରୁ ରାଜ୍ୟରେ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ୪ ବର୍ଷରେ ଓଡିଶାରେ ପ୍ରତି ୧୦୦୦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୯୨୫କୁ ଖସି ଆସିଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ଓଡିଶାରେ ଲିଙ୍ଗଗତ ତାରତମ୍ୟ ଭୟଙ୍କର ଭାବେ ବଢ଼ିଛି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ଗମ୍ଭୀର ଭାବେ ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ରାଜ୍ୟ ସରକାର ମହିଳା ସୁରକ୍ଷିତ ବୋଲି ଡିଣ୍ଡିମ ପିଟୁଛନ୍ତି କିନ୍ତୁ ବାସ୍ତବ କ୍ଷେତ୍ରରେ ଓଡ଼ିଶାରେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ । ମହିଳାଙ୍କୁ ଦୁଷ୍କର୍ମ, ହତ୍ୟା, ଅପହରଣରେ ମନ୍ତ୍ରୀ, ସାଂସଦ ଓ ବିଧାୟକ ଲିପ୍ତ ଥିଲେ ବି ଏଯାଏଁ ସେମାନେ ଦଣ୍ଡିତ ହୋଇନାହାନ୍ତି । ବିଜୁ ଜନତା ଦଳ ଓଡ଼ିଶାର ମହିଳାଙ୍କ ପାଇଁ କାଳ ସାଜିଛି ବୋଲି କଟାକ୍ଷ କରିଛନ୍ତି ।

ଏନ୍‌ସିଆର୍‌ବି ରିପୋର୍ଟ ଦର୍ଶାଉଛି ଯେ, ଓଡ଼ିଶା ମହିଳା ଓ ଶିଶୁମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି । ରାଜ୍ୟରେ ଘରୋଇ ମହିଳାଙ୍କ ଆତ୍ମହତ୍ୟା ହାର ଅସମ୍ଭବଭାବେ ୬୧୩ ପ୍ରତିଶତକୁ ବୃଦ୍ଧି ପାଇଛି ।ଓଡ଼ିଶାର ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ମହିଳା ବିରୋଧୀ ହିଂସାରେ ଓଡିଶା ୧ନଂ ରାଜ୍ୟ ବୋଲି ଡା.ବିଶ୍ୱାଳ କହିଛନ୍ତି ।ବର୍ତ୍ତମାନ ସୁଦ୍ଧା କେତେ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି, ମହିଳା ଓ ଶିଶୁ ସୁରକ୍ଷା ପାଇଁ କେଉଁ ଯୋଜନା ମାଧ୍ୟମରେ କ’ଣ ସୁଫଳ ମିଳିଛି ତାହା ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି।

ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରଠାରେ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ ।ଏହାପରେ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଡା. ବିଶ୍ୱାଳ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ପ୍ରୀତି ପ୍ରତିଭା ଭୋଳ ଓ ରଶ୍ମିମୟୀ ପଟ୍ଟନାୟକ, ସାଧାରଣ ସମ୍ପାଦିକା ରଶ୍ମିରେଖା ଦାସ, ମହିଳାମୋର୍ଚ୍ଚା କୋଷାଧ୍ୟକ୍ଷା କଳ୍ପନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share