Rahul

ନୂଆଦିଲ୍ଲୀ: ଗତ ବୁଧବାର ଦିନ ପାର୍ଲାମେଣ୍ଟ୍‌ ସୁରକ୍ଷା ଉଲ୍ଲଂଘନ ଘଟିଲା ବେଳେ ସମସ୍ତ ‘ବିଜେପି’ ସାଂସଦ ତୁରନ୍ତ ଧାଇଁ ପଳାଇଥିଲେ ବୋଲି ଆଜି କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ କହିଛନ୍ତି।

ଆଜି ଦିଲ୍ଲୀସ୍ଥିତ ଜନ୍ତର ମନ୍ତରଠାରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ପ୍ରତିବାଦ ସମୟରେ ରାହୁଲ୍‌ ଗାନ୍ଧୀ କହି‌ଲେ ଯେ, ଅଳ୍ପ କେଇଜଣ ତରୁଣ ସଂସଦ ଭିତରେ ପଶି ଧୂଆଁ ଛାଡ଼ିବାରୁ ‘ବିଜେପି’ ସାଂସଦମାନେ ପଛଘୁଞ୍ଚା ଦେଇଥିଲେ।

ରାହୁଲ୍‌ଙ୍କ ଭାଷାରେ, ସମସ୍ତ ‘ବିଜେପି’ ସାଂସଦ ଡିଆଁ ମାରି ପଳାଇଗଲେ। ସେମାନଙ୍କ ଦମ୍‌ ବାହାରିଗଲା।

ସେ ଆହୁରି ମଧ୍ୟ କହିଲେ ଯେ, କେଉଁ କାରଣରୁ ଡିସେମ୍ବର ୧୩ ତାରିଖ ଦିନ ଅନୁପ୍ରବେଶକାରୀମାନେ ଏଭଳି ପଦକ୍ଷେପ ଗ୍ରହଣ କଲେ, ତାହା ମଧ୍ୟ ବିଚାର କରିବା କଥା। ଏହା ନିଶ୍ଚୟ ସୁରକ୍ଷା ଉଲ୍ଲଂଘନ, କିନ୍ତୁ କଥା ହେଲା ସେମାନେ ଏଭଳି ଭାବରେ କାହିଁକି ପ୍ରତିବାଦ କଲେ। ଏହାର ଉତ୍ତର ହେଉଛି ଦେଶରେ ବେକାରୀ ସମସ୍ୟା।

ଏହାଛଡ଼ା, ସଂସଦର ସୁରକ୍ଷା ଉଲ୍ଲଂଘନ ପରେ ବିରୋଧୀ ଦଳର ନେତାମାନଙ୍କଦ୍ବାରା କରାଯାଇଥିବା ପ୍ରତିବାଦ, ସାଂସଦ ନିଲମ୍ବନ ଓ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ‘ମିମିକ୍ରି’ କରିବା ଓ ସେ ଦୃଶ୍ୟର ଭିଡିଓ ଉତ୍ତୋଳନ ଆଦି ବିଷୟରେ ମଧ୍ୟ ରାହୁଲ୍‌ ଗାନ୍ଧୀ କହିଲେ।

ସେ କହିଲେ, ଗଣମାଧ୍ୟମ ଦେଶର ବେକାରୀ ସମସ୍ୟା କଥା କହୁନାହିଁ। କିନ୍ତୁ, ରାହୁଲ୍‌ ଗାନ୍ଧୀ ସଂସଦ ବାହାରେ ବସିଥିବା ନିଲମ୍ବିତ ସାଂସଦମାନଙ୍କ ଭିଡିଓ ଉତ୍ତୋଳନ କରିବା କଥା କହୁଛି।

ସୂଚନାଯୋଗ୍ୟ, ଆଜି ଜନ୍ତର ମନ୍ତରରେ ‘ଇଣ୍ଡିଆ ବ୍ଲକ୍‌’ର ନେତାମାନେ ‘ବିଜେପି’ ନେତୃତ୍ବାଧୀନ ସରକାରଙ୍କ ବିରୋଧରେ ‘ଗଣତନ୍ତ୍ର ବଞ୍ଚାଅ’ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।

Share