Ganja tree 1704260706

ଫୁଲବାଣୀ : ରାଜ୍ୟର ଦୁଇଟି ଜିଲ୍ଲାରେ ପୁଲିସ୍ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି। କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ଗଞ୍ଜେଇ ଚାଷ ବନ୍ଦ କରିବାକୁ ପ୍ରୟାସ ଜାରି ରହିଥିବା ବେଳେ ଗତକାଲି ଫିରିଙ୍ଗିଆ ଥାନା ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୮ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି।
ଫିରିଙ୍ଗିଆ ଥାନା ଆଇଆଇସି ରମେଶ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ନୂଆପଦର ପଞ୍ଚାୟତର କରେକାମ୍ବା, କାଲାସପଦର ଓ କାଳିପାଙ୍ଗା ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ଚଢ଼ାଉ କରି ପ୍ରାୟ ୮୫ ଏକର ଜାଗାରେ ଲାଗିଥିବା ଗଞ୍ଜେଇ ଗଛକୁ କାଟି ନିଆଁ ଲଗାଇ ଦେଇଥିଲେ।
ଏହି ସବୁ ଗଞ୍ଜେଇ ଗଛ କାଟିବା ବେଳେ ସେଠାରେ ଜଣେ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ଥିଲେ। ଗଞ୍ଜେଇ ଗଛ କାଟିବା ପାଇଁ ୧୦ ଜଣ ହୋମଗାର୍ଡ ଓ ୩୦ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ। ସୁରକ୍ଷା ପାଇଁ ଡିଭିଏଫ୍‌ ସହିତ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।
ସେହିଭଳି ଗଜପତି ଜିଲ୍ଲା ମୋହନା ଥାନା ପୁଲିସ ଶିକୁଳିପଦର ପଞ୍ଚାୟତର ଓଲଣ୍ଡା ଗାଁ ନିକଟସ୍ଥ ୬୨ ଏକର ଜଙ୍ଗଲ କିସମ ଜମିରେ ଲାଗିଥିବା ଗଞ୍ଜେଇ ଗଛଗୁଡ଼ିକୁ କାଟି ନିଆଁ ଲଗାଇ ଦେଇଛି। ଏହି ସବୁ ଗଞ୍ଜେଇ ଗଛଗୁଡ଼ିକର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷରୁ ଅଧିକ ହେବ।
ଗଜପତି ଏସପିଙ୍କ ତତ୍ତ୍ୱାବଧାନରେ ଆର. ଉଦୟଗିରି ଏସ୍‌ଡିପିଓ ଅଶ୍ଵିନୀ କୁମାର ନାୟକ, ପାରଳାଖେମୁଣ୍ଡି ଡିଏସପି ରାଜ କିଶୋର ଦାସ, ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଓ ମୋହନା ପୁଲିସ ଟିମ୍ ଚଢ଼ାଉ କରି ଗଞ୍ଜେଇ ଗଛ ନଷ୍ଟ କରିଥିଲେ। ଏଭଳି ଅଭିଯାନ ଜାରି ରହିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।

Share