88093594 2336 4574 8583 a5dd067abb64 750x430

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ୍‌ ଗୋଳବାଇ ଭଗବତୀ ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଆଜି ୧୧ଜଣ ଛାତ୍ରୀ ଏକକାଳୀନ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ତନ୍ମଧ୍ୟରୁ ୯ଜଣଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅସୁସ୍ଥତାର କାରଣ ଶାରୀରିକ ଦୁର୍ବଳତା ବୋଲି ସ୍କୁଲ୍ କର୍ତ୍ତୃପକ୍ଷ କହୁଥିବା ବେଳେ ଖେଳ ସମୟରେ ପିଲାଙ୍କୁ ଗ୍ଲୁକୋଜ୍‌, ପାଣି ଦିଆନଯିବାରୁ ହଠାତ୍‌ ଏମିତି ଅସୁସ୍ଥ ହୋଇପଡ଼ିଥିଲେ ବୋଲି ଛାତ୍ରୀମାନେ ପ୍ରକାଶ କରିଛନ୍ତି।
ସୂଚନା ମୁତାବକ, ଏ ଘଟଣା ଆଜି ଅପରାହ୍‌ଣ ପ୍ରାୟ ଗୋଟାଏ ବେଳେ ଘଟିଥିଲା। ବିଦ୍ୟାଳୟର ତିନି ଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଗତକାଲିଠାରୁ ଆରମ୍ଭ ହୋଇଥିଲା। ଆଜି ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଚାଲିଥିଲା। କିଛି ବିଦ୍ୟାର୍ଥୀ ଖେଳରେ ଅଂଶଗ୍ରହଣ କରୁଥିବା ବେଳେ କିଛି ଅଂଶଗ୍ରହଣ କରିବାକୁ ଅଭ୍ୟାସ କରୁଥିଲେ। ଏହି ସମୟରେ ହଠାତ୍‌ ଜଣେ ଛାତ୍ରୀ ଅଚେତ ହୋଇ ତଳେ ଖସି ପଡ଼ିଥିଲା। ତା’ ପରେ ପରେ ଅନ୍ୟ ୧୦ଜଣ ଛାତ୍ରୀଙ୍କର ବି ସମାନ ଅବସ୍ଥା ହୋଇଥିଲା। ସଭିଏଁ ଅସୁସ୍ଥ ହୋଇଥିଲେ। ତନ୍ମଧ୍ୟରୁ କିଛି ବିଦ୍ୟାର୍ଥୀ ମଧ୍ୟାହ୍ନ ଭୋଜନ କରିଥିବା ବେଳେ ଆଉ କିଛି ଭୋଜନ କରି ନ ଥିଲା। ଘଟଣା ଜଣାପଡ଼ିବା ପରେ ସ୍କୁଲ୍ କର୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍‌ସ ଡକାଇ ତନ୍ମଧ୍ୟରୁ ୯ଜଣ ଛାତ୍ରୀଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଅନ୍ୟମାନଙ୍କୁ ଘରକୁ ପଠାଇ ଦିଆଯାଇଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀ ସ୍ବସ୍ତିକା ପାଳ ପ୍ରକାଶ କରିଛନ୍ତି।

Share