Woman Rescue 750x430 1

କେନ୍ଦ୍ରାପଡା: ସ୍ୱାମୀଙ୍କ ସହ ଝଗଡ଼ା କରି ୯ ମାସର ଝିଅକୁ କୋଳରେ ଧରି ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ ସ୍ତ୍ରୀ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ। ସୂଚନା ଅନୁସାରେ ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗାଁର ଜଣେ ଯୁବକ ନିଜ ପତ୍ନୀ ଓ କୁନି ଝିଅ ସହ ଶ୍ୱଶୁର ଘର ନିକଟସ୍ଥ ଡାଳିକାଏନ୍ଦା ଗାଁକୁ ଯାଇଥିଲେ। ସେଠାରୁ ଆଜି ସମସ୍ତେ ନିଜ ଗାଁକୁ ଅଟୋ ଯୋଗେ ଫେରୁଥିଲେ। ହେଲେ ଅଟୋରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଲା।

ଝଗଡ଼ା ଏତେ ବଢିଗଲା ଯେ ମହିଳା ଜଣକ ନିଜର ହିତାହିତ ଜ୍ଞାନ ହରାଇ ୯ ମାସର ଝିଅକୁ କୋଳରେ ଧରି ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ। ଏହାଦେଖି ସ୍ୱାମୀଜଣକ ବି ନଦୀକୁ ଡେଇଁ ପଡ଼ିଲେ। ବାପା, ମା’ ଝିଅ ମଝି ନଦୀରେ ଉବୁଟୁବୁ ହେଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳକୁ ପହଞ୍ଚିଲେ।

ସ୍ଥାନୀୟ ଲୋକେ ତୁରନ୍ତ ଏକ ଡଙ୍ଗା ସାହାଯ୍ୟରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ସଙ୍ଗେସଙ୍ଗେ ସମସ୍ତଙ୍କୁ ଆଳି ମେଡିକାଲ ନିଆଯାଇଥିବା ବେଳେ ସେଠାରେ ପିଲା ଓ ମାଆର ସ୍ୱାସ୍ଥ୍ୟ ଠିକ୍‌ ଥିବା ଜଣାଯାଇଛି। ଏହାପରେ ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ମାଆ ଓ ପିଲାକୁ କେନ୍ଦ୍ରାପଡ଼ା ମେଡିକାଲ ନେଇ ଯାଇଥିବା ଜଣାଯାଇଛି।

Share