Rukuna Rath 750x430

ଭୁବନେଶ୍ବର: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ମଙ୍ଗଳବାର ସନ୍ଧ୍ୟାରେ ପାପନାଶିନୀ ଛକ ନିକଟରେ ଅଟକିଛି। ବିଧି ରହିଛି ସୂର୍ଯ୍ୟାସ୍ତ ପରେ ରଥ ଟଣା ହୁଏନି। ତେଣୁ ଅଧା ରାସ୍ତାରେରଥ ଅଟକିଛି। ଅଧଘଣ୍ଟା ବିଳମ୍ବରେ ନୀତିକାନ୍ତ ଆରମ୍ଭ ହୋଇ ଦେଢ଼ଘଣ୍ଟା ବିଳମ୍ବରେ ଗଡିଥିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ତେଣୁ, ଆଜି ଗୋଟିଏ ଦିନରେ ସମ୍ପୂର୍ଣ୍ଣ ରାସ୍ତା ଅତିକ୍ରମ କରିନାହିଁ। ଆସନ୍ତାକାଲି (ବୁଧବାର) ରଥର ନୀତିକାନ୍ତି ଓ ପୂଜାର୍ଚ୍ଚନା ହେବା ପରେ ପୁଣି ଦ୍ୱିପ୍ରହରରେ ରଥ ଗଡ଼ିବ ଏବଂ ମହାପ୍ରଭୁ ଲିଙ୍ଗରାଜ ରାମେଶ୍ୱର ମନ୍ଦିରକୁ ବିଜେ କରିବେ।

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ସନ୍ଧ୍ୟାରେ ରାମେଶ୍ୱର ମନ୍ଦିର ଅଭିମୁଖେ ବାହାରିଥିଲା। ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ରଥକୁ ‌ହର୍ଷୋଲ୍ଲାସ ସହିତ ଟାଣି ନେଇଥିଲେ। ରଥଟଣା ଦେଖିବାକୁ ରାଜଧାନୀ ରାଜରାସ୍ତାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

ଶୃଙ୍ଖଳିତ ରଥଟଣା ପାଇଁ କମିସନରେଟ ପୁଲିସ୍ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି କରାଯାଇଛି। ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର କଂଟ୍ରୋଲ ରୁମ୍ ଗଠନ ହୋଇଛି। ରଥରୋଡ଼ରେ କୌଣସି ଗାଡ଼ି ଯାଇପାରିବନି, ଏହାସହ ମାଉସୀମା’ ଛକରୁ ଗାଡ଼ିକୁ ଡାଇର୍ଭଟ କରାଯାଇଛି। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୨ ପ୍ଲାଟୁନ ଫୋର୍ସ, ୨ ଜଣ ଅତିରିକ୍ତ ଡିସିପି, ୬ ଜଣ ଏସପି, ୧୫ ଜଣ ଇନିସପେକ୍ଟର ମୁତୟନ ହୋଇଛନ୍ତି। ଏହାସହ ୫୦ରୁ ଅଧିକ ସବଇନିସପେକ୍ଟର ଓ ଏଏସଆଥ ଲବଂ ଟ୍ରାଫିକ୍ ଅଧିକାର ନିୟୋଜିତ ଅଛନ୍ତି। ସେପଟେ ଖରା ଓ ହିଟୱେଭକୁ ଆଖିରେ ରଖି ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କ ପାଇଁ ଆବଶ୍ୟକ ପିଇବା ପାଣି ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଉପରେ ପାଣି ସ୍ପ୍ରେ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଶ୍ରୀ ଲିଙ୍ଗରାଜଙ୍କ ରଥଯାତ୍ରା ଦେଖିବାକୁ ଦୂର ଦୂରାନ୍ତରୁ ଆସିଛନ୍ତି ଭକ୍ତ।

Share