Iran 1713444137

ନୂଆଦିଲ୍ଲୀ : ଇସ୍ରାଏଲ ସହ ତିକ୍ତତା ମଧ୍ୟରେ ଇରାନ Strait of Hormuz ନିକଟରୁ ଜବତ କରିଥିବା ଜାହାଜରେ ଫସିଥିବା ଜଣେ ଭାରତୀୟ ମହିଳା ଆଜି ସ୍ୱଦେଶ ଫେରିଛନ୍ତି। ଇରାନ ଏପ୍ରିଲ ୧୩ରେ ଇସ୍ରାଏଲ ସହ ଜଡ଼ିତ ଗୋଟିଏ ପଣ୍ୟବାହୀ ଜାହାଜକୁ ଜବତ କରିଥିଲା। ଏଥିରେ ଥିବା ୨୫ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୧୭ ଜଣ ଭାରତୀୟ ଥିଲେ। ଏବେ ସେମାନଙ୍କ ମଧ୍ୟରୁ ଜଣେ ଭାରତୀୟ ମହିଳା ତଥା ଜାହାଜର ନାବିକ ଭାରତ ଫେରିଛନ୍ତି। କିନ୍ତୁ ଅନ୍ୟ ୧୬ ଭାରତୀୟ କେବେ ଫେରିବେ, ତା’ର ଉତ୍ତର କାହା ପାଖରେ ନାହିଁ।
ଜାହାଜର ନାବିକ ଭାରତ ଫେରିଥିବା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣନ୍ଧୀର ଜୈସୱାଲ ଏକ୍ସ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ତେହରାନରେ ଥିବା ଭାରତୀୟ ଦୂତାବାସର ନିରବଚ୍ଛିନ୍ନ ପରିଶ୍ରମ ଓ ଇରାନ ସରକାରଙ୍କ ସମର୍ଥନ ଯୋଗୁ କେରଳର ଥ୍ରୀସୁରରେ ରହୁଥିବା ଇଣ୍ଡିଆନ ଡେକ୍‌ କ୍ୟାଡେଟ୍‌ ଆନ୍ନ ତିସା ଯୋଶେଫ ସୁରକ୍ଷିତ ଭାବେ କୋଚିନ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଅବତରଣ କରିଛନ୍ତି।
ଜାହାଜ ଜବତ ଘଟଣାରେ ଭାରତୀୟ ଦୂତାବାସ କାମ କରି ଚାଲିଛି ଓ ବାକି ୧୬ ଭାରତୀୟ କ୍ରୁଙ୍କୁ ମୁକୁଳାଇବା ପାଇଁ ଉଦ୍ୟମ ଜାରି ରଖିଛି। ଜବତ ଜାହାଜରେ ଥିବା କ୍ରୁ ସଦସ୍ୟମାନେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଭାରତରେ ରହୁଥିବା ସେମାନଙ୍କ ପରିବାର ଲୋକଙ୍କ ସହ ମଧ୍ୟ କଥା ହେଉଛନ୍ତି। ଭାରତ ସରକାର କ୍ରୁ ସଦସ୍ୟଙ୍କୁ ଫେରାଇ ଆଣିବା ପାଇଁ ଇରାନ ସରକାରଙ୍କ ଯୋଗାଯୋଗରେ ଅଛନ୍ତି ବୋଲି ସେ କହିଛନ୍ତି। ଏହାପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କ ଇରାନ ପ୍ରତିପକ୍ଷ ଆମୀର ଅବଦୁଲ୍ଲାହିଆଦନଙ୍କ ସହ ଏ ସମ୍ପର୍କରେ କଥାବାର୍ତ୍ତା କରିଥିଲେ।
ଯୋଶେଫ ଭାରତରେ ପହଞ୍ଚିବା ପରେ ଜୟଶଙ୍କର ଏକ୍ସରେ ଲେଖିଛନ୍ତି ଯେ ଇରାନରେ ଥିବା ଭାରତୀୟ ଦୂତାବାସ ବହୁତ ବଡ଼ କାମ କରିଛି। ଯୋଶେଫ ଘରେ ପହଞ୍ଚିଥିବାରୁ ଭଲ ଲାଗୁଛି। ଭାରତରେ ହେଉ କି ବିଦେଶରେ, ମୋଦି କୀ ଗ୍ୟାରେଣ୍ଟୀ ସବୁବେଳେ କାର୍ଯ୍ୟରେ ପରିଣତ ହୁଏ ବୋଲି ସେ କହିଛନ୍ତି।

Share