ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାନକୁ ନେଇ ବିବାଦ ଚାଲିଥିବା ବେଳେ ଏହାର ‘ଡିଜାଇନ୍‌’ ବା ଆକୃତିକୁ ‘ରାଷ୍ଟ୍ରୀୟ ଜନତା ଦଳ’ (ଆର୍‌ଜେଡି) ଗୋଟାଏ ‘କଫିନ୍‌’ (ଶବାଧାର) ସହିତ ତୁଳନା କରିଛି।
ଆଜି ‘ଆର୍‌ଜେଡି’ ଗ‌ୋଟିଏ ପାଖରେ ‘କଫିନ୍‌’ ଓ ‌ଅନ୍ୟ ପଟରେ ନୂଆ ସଂସଦ ଭବନ ଥିବା ଫଟୋ ଟୁଇଟ୍‌ କରି ଲେଖିଛି ‘ଏ କ’ଣ?’
ନୂଆ ସଂସଦ ଭବନକୁ ‘କଫିନ୍‌’ ସହିତ ତୁଳନା କରାଯାଇଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ଆର୍‌ଜେଡି’ ନେତା ଶକ୍ତି ସିଂହ ଯାଦବ କହିଛନ୍ତି, ଗଣତନ୍ତ୍ରକୁ କବର ଦିଆଯାଉଛି ବୋଲି ଟୁଇଟ୍‌ରେ ଦିଆଯାଇଥିବା ‘କଫିନ୍‌’ ଦର୍ଶାଉଛି। ଦେଶ ଏହାକୁ ଗ୍ରହଣ କରିବ ନାହିଁ। ସଂସଦ ହେଉଛି ଗଣତନ୍ତ୍ରର ମନ୍ଦିର ଏବଂ ଆଲୋଚନା ସ୍ଥଳୀ।
‘ଆର୍‌ଜେଡି’ ଟୁଇଟ୍‌ ଉପରେ ତୁରନ୍ତ ପ୍ରତିକ୍ରିୟା ବ୍ୟକ୍ତ କରି ‘ବିଜେପି’ ନେତା ସୁଶୀଲ୍‌ ମୋଦୀ କହିଛନ୍ତି, ନୂଆ ସଂସଦ ଭବନକୁ ‘କଫିନ୍‌’ ସହିତ ତୁଳନା କରିଥିବା ଲୋକମାନଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ଉଚିତ।
‘ବିଜେପି’ ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, ୨୦୨୪ରେ ଦେଶବାସୀ ତୁମକୁ ଏହି ‘କଫିନ୍‌’ରେ ପୂରାଇ ପୋତି ପକାଇବେ।
ସେହିପରି, ପ୍ରତିକ୍ରିୟା ବ୍ୟକ୍ତ କରି ‘ଏଆଇଏମ୍‌ଆଇଏମ୍‌’ ମୁଖ୍ୟ ଅସାଦୁଦ୍ଦିନ୍‌ ଅୱେସୀ କହିଛନ୍ତି, ‘କଫିନ୍‌’ ସହିତ ନୁହେଁ ନୂଆ ସଂସଦ ଭବନକୁ ‘ଆର୍‌ଜେଡି’ ଅନ୍ୟ କିଛି ସହିତ ତୁଳନା କରିବା ଉଚିତ ଥିଲା।
ସୂଚନାଯୋଗ୍ୟ, ନୂଆ ସଂସଦ ଭବନ ଉଦ୍‌ଘାଟନ ରାଷ୍ଟ୍ରପତି କରିବା ଉଚିତ ବୋଲି କହି ପ୍ରାୟ ୨୦ଟି ବିରୋଧୀ ଦଳ ଆଜି ଏହି ଉତ୍ସବରେ ଯୋଗ ଦେଇନାହାନ୍ତି। ଏହି ଉଦ୍‌ଘାଟନୀ ଉତ୍ସବକୁ ସେମାନେ ଅପମାନ ଓ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି।

Share