ନୂଆଦିଲ୍ଲୀ: ଅଗଷ୍ଟ ୩୧ରୁ ଆରମ୍ଭ ହେବ ଏସିୟା କପ୍ ୨୦୨୩। ଆଜି ମ୍ୟାଚ୍ ଆରମ୍ଭ ହେବା ସମ୍ବନ୍ଧୀୟ ସୂଚନା ଦେଇଛି ଏସିୟାନ କ୍ରିକେଟ କାଉନସିଲ(ଏସିସି)। ମ୍ୟାଚ୍ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଚାଲିବା ସହ ପାକିସ୍ତାନରେ ମାତ୍ର ୪ଟି ମ୍ୟାଚ୍ ଖେଳାଯିବ। ଏଥର ହାଇବ୍ରିଡ ମଡେଲ ଅଧୀନରେ ଏସିଆ କପ୍ ଖେଳାଯିବାକୁ ଥିବା ବେଳେ ପାକିସ୍ତାନରେ ୪ଟି ଓ ଶ୍ରୀଲଙ୍କାରେ ୯ଟି ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି।
ଏଥର ଏସିଆ କପରେ ଭାରତ ଏବଂ ପାକିସ୍ତାନ ସମେତ ମୋଟ ୬ଟି ଦଳ ମଧ୍ୟରେ ୧୩ଟି ମ୍ୟାଚ୍ ଖେଳାଯିବ। ଏଥିରେ ଫାଇନାଲ୍ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ବୋଧହୁଏ କେବଳ ଶ୍ରୀଲଙ୍କାରେ ଖେଳାଯିବ। ସମସ୍ତ ୬ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ। ଏଥର ଏସିଆ କପ୍ ଓଡିଆଇ ଫର୍ମାଟରେ ଖେଳାଯିବ ଏବଂ ଭାରତ, ପାକିସ୍ଥାନ, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ ଓ ନେପାଳ ଏଥିରେ ଭାଗ ନେବେ। ଗୋଟିଏ ଗ୍ରୁପରେ ଭାରତ, ନେପାଳ ଏବଂ ପାକିସ୍ତାନ ରହିବା ସହ ଅନ୍ୟ ଦଳରେ ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ରହିବ। ଉଭୟ ଗ୍ରୁପର ୨ଟି ଦଳ ସୁପର ୪ରେ ପହଞ୍ଚିବେ।
ତା’ପରେ ରାଉଣ୍ଡ ରବିନ ଫର୍ମାଟରେ ସୁପର- ୪ରେ ମୋଟ ୬ଟି ମ୍ୟାଚ୍ ଖେଳାଯିବ। ଏହା ପରେ ଦୁଇଟି ଦଳ ଫାଇନାଲରେ ପହଞ୍ଚିବେ ଏବଂ ସେମାନଙ୍କ ମଧ୍ୟରେ ଟାଇଟଲ୍ ମ୍ୟାଚ୍ ଖେଳାଯିବ। ଏହିପରି, ଏସିଆ କପ୍ ୨୦୨୩ରେ ଫାଇନାଲ୍ ସହିତ ମୋଟ ୧୩ଟି ମ୍ୟାଚ୍ ଖେଳାଯିବ।

Share