Naxal 1719144791

ରାୟପୁର : ଛତିଶଗଡ଼ରେ ବଡ଼ ଏନ୍‌କାଉଣ୍ଟର। ପୁଲିସକୁ ମିଳିଲା ବଡ଼ ସଫଳତା। ନକ୍ସଲ ପ୍ରଭାବିତ ଅଞ୍ଚଳ ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ୭ ଜଣ ନକ୍ସଲ ନିହତ ହୋଇଛନ୍ତି।
ଆଜି ସକାଳୁ ଜିଲ୍ଲାର ଦକ୍ଷିଣ ଅବୁଝମାଡ଼ ଜଙ୍ଗଲରେ ପୁଲିସ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ। ଏଥିରେ ସୁରକ୍ଷାବାହିନୀ ଗୁଳିରେ ୭ ଜଣ ନକ୍ସଲ ନିହତ ହୋଇଥିବା ବସ୍ତର ଆଇଜି ପି. ସୁନ୍ଦରାଜ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଚଳିତ ମାସ ୧୦ ତାରିଖରୁ ନାରାୟଣପୁର, ଦନ୍ତେଓ୍ୱାଡା, ଜଗଦଲପୁର ଏବଂ କୋଣ୍ଡାଗାଁବ ଜିଲ୍ଲାରୁ ଜିଲ୍ଲା ରିଜର୍ଭ ଫୋର୍ସ ‘DRG’, STF (ସ୍ପେଶାଲ୍ ଟାସ୍କ ଫୋର୍ସ) ଏବଂ CRPF (ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ୍ ଫୋର୍ସ) ର ମିଳିତ ଟିମ୍ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଛି। ଏମାନଙ୍କୁ ଦକ୍ଷିଣ ଅବୁଝମାଡ଼ ଅଞ୍ଚଳ ଭିତରକୁ ପଠାଯାଇଥିଲା।
ଏଠାରେ ନକ୍ସଲମାନେ ଲୁଚି ରହିଥିବା ସୂଚନା ମିଳିଥିଲା। ଆଜି ଭୋର ୩ଟା ବେଳେ ସୁରକ୍ଷାବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଚଳାଇଥିବା ବେଳେ ନକ୍ସଲମାନେ ତାଙ୍କ ଉପରକୁ ଗୁଳିମାଡ଼ ଆରମ୍ଭ କରିଥିଲେ। ଏହା ପରେ ସୁରକ୍ଷା ବାହିନୀ ମଧ୍ୟ ଏହାର ମୁହଁତୋଡ ଜବାବ ଦେଇଥିଲେ।
ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏବେବି ଗୁଳି ବିନିମୟ ଜାରି ରହିଛି। ସେ କହିଛନ୍ତି ଯେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ଘଟଣାସ୍ଥଳରୁ ୭ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

Share