Screenshot 2024 12 12 095559 750x430

ସୁନ୍ଦରଗଡ଼: ବଣାଇରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ଆସିଲା ବଡ଼ ଅପଡେଟ୍। ଗର୍ଭବତୀଙ୍କ ସ୍ବାମୀଙ୍କୁ ଅଟକ ରଖିଲା ପୋଲିସ୍। ହତ୍ୟା ମାମଲାରେ ସଂପୃକ୍ତି ସନ୍ଦେହରେ ସ୍ବାମୀଙ୍କ ସହ ଜଣେ ପୋଲିସ କର୍ମଚାରୀ ଏବଂ ଗାଁର ୨ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ। ଯୋଜନା କରି ଗର୍ଭବତୀଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। କାରଣ ମହିଳାଙ୍କ ମୁହଁ ଏବଂ ବେକରେ ରହିଛି ଗଭୀର କ୍ଷତ। ଘଟଣାସ୍ଥଳରୁ ଧାରୁଆ ଅସ୍ତ୍ର, ଚାପଡ ଉଦ୍ଧାର କରାଯାଇଛି।

ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ହତ୍ୟା ସନ୍ଦେହରେ ଚାଲିଛି ଜେରା। ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ମାରିଦେଲେ ଦୁର୍ବୃତ୍ତ। ସୁନ୍ଦରଗଡ଼ ବଣାଇ ଟିକାୟତପାଲି ଥାନା ଝିର୍ଡାପାଲି ଗାଁରେ ମହିଳାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଦେବେନ୍ ବେହେରାଙ୍କ ଘରକୁ ଦୁଇ ଜଣ ଦୁର୍ବୃତ୍ତ ଆସି କବାଟ ବାଡେଇଥିଲେ। ମହିଳା ଜଣକ କବାଟ ଖୋଲିଲା ବେଳେ ବେକରୁ ସୁନା ଚେନ ଟାଣିଥିଲେ।

ମହିଳା ଜଣକ ଚିତ୍କାର କରିବାରୁ ଗୁଳି କରି ଚମ୍ପଟ ମାରିଥିଲେ ଦୁଇ ଦୁର୍ବୃତ୍ତ। ଗୁଳିଟି ସୀମାଙ୍କ ଛାତିର ବାମ ପଟରେ ବାଜିଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ମହିଳାଙ୍କୁ ପ୍ରାୟ ୩୦ ବର୍ଷ ହୋଇଥିଲା। ସେ ୭ ମାସର ଗର୍ଭବତୀ ଥିଲେ। ଲୁଟ ପାଇଁ ହତ୍ୟା ନା ଅନ୍ୟ କୌଣସି କାରଣ ରହିଛି ସେନେଇ ଟିକାୟତପାଲି ପୋଲିସ ୪ ଜଣଙ୍କୁ ସନ୍ଦେହ କରି ଅଟକ ରଖି ତଦନ୍ତ ଜାରି ରଖିଛି।

Share