Pollution 1734347331

ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ପୁଣି ଭୟଙ୍କର ହୋଇଛି। ସ୍ଥିତିକୁ ଦେଖି ଏୟାର କ୍ୱାଲିଟୀ ମ୍ୟାନେଜମେଣ୍ଟ କମିଶନ(CAQM) ପୁଣିଥରେ ଦିଲ୍ଲୀରେ GRAP-III ଲାଗୁ କରିଛନ୍ତି। ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଏପରି ବ୍ୟବସ୍ଥା ଲାଗୁ କରାଯାଇଛି।

ଦିଲ୍ଲୀରେ ଆଜି ବାୟୁର ଗୁଣବତ୍ତା ସାଂଘାତିକ ଶ୍ରେଣୀରେ ରହିଛି। ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୧ରୁ ୪୫୦ ମଧ୍ୟରେ ଅଛି। ତେଣୁ ପ୍ରଦୂଷଣକୁ ତତ୍କାଳ ଭାବେ ନିୟନ୍ତ୍ରଣକୁ ଆଣିବା ପାଇଁ କଟକଣା ଲାଗୁ କରାଯାଇଛି।

GRAP-III ଅଧୀନରେ ଲାଗୁ ହେଉଥିବା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ କମିଶନ ପକ୍ଷରୁ କୁହାଯାଇଛି। GRAP-III ଲାଗୁ ହୋଇଥିବାରୁ ଏବେ ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଓ ଗୌତମ ବୁଦ୍ଧ ନଗରରେ ଥିବା ସ୍କୁଲଗୁଡ଼ିକ ୫ମ ଶ୍ରେଣୀ ଯାଏ କ୍ଲାସ ହାଇବ୍ରିଡ ମଡେଲରେ ହେବ। ଏହାର ଅର୍ଥ ଅନଲାଇନ କ୍ଲାସ ସୁବିଧା ଥିଲେ ପିଲାମାନେ ଓ ସେମାନଙ୍କ ଅଭିଭାବକ ଏହାର ଫାଇଦା ଉଠାଇ ପାରିବେ। ନଚେତ ସେମାନେ ସ୍କୁଲ ଯାଇ କ୍ଲାସ କରିପାରିବେ।

ଗାଇଡଲାଇନ ଅନୁଯାୟୀ, GRAP-III ଲାଗୁ ହୋଇଥିବାରୁ ଦିଲ୍ଲୀ ଭିତରକୁ କୌଣସି ଡିଜେଲ ଚାଳିତ ମାଲ ପରିବହନ କରୁଥିବା ଗାଡ଼ି ପ୍ରବେଶ କରିପାରିବେ ନାହିଁ। କେବଳ ଜରୁରୀ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକ କ୍ଷେତ୍ରରେ ଏହି କଟକଣା ଲାଗୁ ହେବନି।

ସେହିପରି ବିଏସ ୩ ପେଟ୍ରୋଲ ଓ ବିଏସ-୪ ଡିଜେଲ ଚାଳିତ ଲାଇଟ ମଟୋର ଗାଡ଼ି ଉପରେ ମଧ୍ୟ କଟକଣା ଲାଗୁ ହେବ। କୌଣସି ପ୍ରକାରର ଉଚ୍ଛେଦ ଓ ଖୋଳାଖୋଳି କାମ ମଧ୍ୟ GRAP-III ଅଧୀନରେ ହୋଇପାରିବ ନାହିଁ।

ଏହାପୂର୍ବରୁ ନଭେମ୍ବର ୧୫ରେ ମଧ୍ୟ ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି କମିଶନ GRAP-III ଦିଲ୍ଲୀରେ ଲାଗୁ କରିଥିଲେ।

Share