ପୁରୀ: ସ୍ନାନପୂର୍ଣ୍ଣମୀ ଦିନ ୧୦୮ ଗରା ସୁବାସିତ ଶୀତଳ ଜଳରେ ସ୍ନାନ କରିବା ପରେ ଏବେ ଶ୍ରୀଜିଉମାନେ ଏବେ ଅଣସର ଘରେ ଥିବାବେଳେ ଦଇତାପତି ସେବକମାନେ ଶ୍ରୀ ବିଗ୍ରହମାନଙ୍କର ସେବା ଶୁଶ୍ରୁଷା କରୁଛନ୍ତି । ଗତକାଲି ପଞ୍ଚମୀ ତିଥିରେ ଦଇତାପତି ସେବକ ଶ୍ରୀଜିଉଙ୍କୁ ଫୁଲୁରି ତେଲ ଲାଗି କରିଥିବା ବେଳେ ଆଜିଠାରୁ ଚାରିଦିନ ପର୍ଯ୍ୟନ୍ତ ଓସୁଅ ଲାଗି କରିବାର ଵିଧି ରହିଛି ।
ଏହି ସମୟରେ ଶ୍ରୀଜୀଉଙ୍କ ନିକଟରେ ଅନ୍ନ ଭୋଗ ପରିବର୍ତ୍ତେ ଫଳମୂଳ ଓ ଚକଟା ଭୋଗ ଲାଗି କରାଯାଇଥାଏ । ତେବେ ଶ୍ରୀଜୀଉଙ୍କ ଠାରେ ଅଣସର ସମୟରେ ଲାଗି ହୋଇଥିବା ସର ଭୋଗକୁ ଦଇତାପତି ସେବକମାନେ ଆଣି ନିଜ ଘରେ ପଣା ପ୍ରସ୍ତୁତ କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରିଥାନ୍ତି । ଏହି ପ୍ରଥା ଶହ ଶହ ବର୍ଷ ଧରି ପ୍ରଚଳିତ ହୋଇ ଆସୁଛି ।
ବର୍ଷକରେ କେବଳ ଅଣସର ସମୟରେ ଏହି ସ୍ୱତନ୍ତ୍ର ପଣା ଭୋଗ ମିଳୁଥିବା ବେଳେ ଏହାକୁ ପାଇ ବହୁ ଭକ୍ତ ନିଜକୁ ଧନ୍ୟମନେ କରିଥାନ୍ତି । ବିଶ୍ୱାସ ଅଛି ଏହି ପଣା ଭୋଗ ପାଇଲେ ଭକ୍ତମାନେ ଅଶେଷ ପୁଣ୍ୟ ପ୍ରାପ୍ତିର ସୌଭାଗ୍ୟ ଲାଭ କରିଥାନ୍ତି ।