ଓଡ଼ିଶା ରାଜ୍ୟ ବୃତ୍ତି, ବ୍ୟାପାର, ଏବଂ ନିୟୋଜନ କର ବିଲ୍, . ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍, ସହ ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍ ଉପସ୍ଥାପନ ହୋଇଛି । ଏହାଛଡ଼ା ଓଡ଼ିଶା ରିପିଲିଂ ବିଲ୍ (ରଦ୍ଦକରଣ ବିଲ୍), ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ସଂଶୋଧନ ବିଲ୍, ଓଡ଼ିଶା ସାମୁଦ୍ରିକ ମାଛଧରା ନିଷେଧ ଓ ନିୟନ୍ତ୍ରଣ ବିଲ୍ ଗୃହରେ ଉପସ୍ଥାପିତ ହୋଇଛି । ଗୃହ ମୁଲତବୀ ନେଇ ବିଜେପି ପ୍ରତିକ୍ରିୟା ରଖିଛି ଯେ, ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ବିରୋଧୀ ତାହା ନବୁଝି ଆନ୍ଦୋଳନ କରୁଛନ୍ତି ।
ଭୁବନେଶ୍ୱର: ମଙ୍ଗଳବାର(୨୨ ସେପ୍ଟେମ୍ବର) ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ । ଆରମ୍ଭରୁ ହିଁ ସରଗରମ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ମଙ୍ଗଳବାର ସକାଳ ୧୧ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବନ୍ଦେ ମାତରମ୍ ଓ ଜାତୀୟ ସଙ୍ଗୀତ ପରେ ଦିବଙ୍ଗତ ନେତା ଓ ବିଧାୟକଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ପ୍ରତିବାଦରୁ ପ୍ରଥମାର୍ଦ୍ଧ ଓ ଅପରାହ୍ନ ଅଧିବେଶନ ମାଡ଼ ଖାଇ ଯାଇଛି । ପାଟିତୁଣ୍ଡ ମଧ୍ୟରେ ଗୃହରେ ୬ଟି ବିଲ୍ ଆଗତ ହୋଇଛି ।
ବିଧାନସଭା ଆରମ୍ଭରୁ ବହି ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି ବିରୋଧୀ ଦଳ। ବିଧାନସଭା ଆରମ୍ଭ ହେବା ମାତ୍ରେ ଏ ପ୍ରସଙ୍ଗରେ ଗୃହ ଭିତରେ ନାରାବାଜି ସହ ପ୍ରତିବାଦ କରିଥିଲେ ବିଜେଡି ସଦସ୍ୟ । ଏହାପରେ ବିଧାନସଭାରୁ ପ୍ରତିବାଦ ରାଲି କରି ବିଜେଡି ଯୁବ ଛାତ୍ର ପ୍ରତିବାଦ କରୁଥିବା ସ୍ଥାନକୁ ପଦ ଯାତ୍ରା କରିଥିଲେ ସବୁ ବିଧାୟକ। କଂଗ୍ରେସ ସଭ୍ୟମାନେ ମଧ୍ୟ ଏମଏମଡିଆର ସଂଶୋଧନ ଆଇନକୁ ତୀବ୍ର ବିରୋଧ କରି ବାଚସ୍ପତିଙ୍କ ଆସନ ନିକଟରେ ପ୍ରତିବାଦ ଜଣାଇଥିଲେ। ବିଜେଡି ଓ କଂଗ୍ରେସ ସଭ୍ୟଙ୍କ ହଙ୍ଗାମାରେ ଗୃହ କମ୍ପିଥିଲା। ବାଚସ୍ପତି ଗୃହକୁ ୧୧. ୩୮ ରୁ ୧ ଘଣ୍ଟା ୧୦ ମି ଯାଏ ମୁଲତବୀ ରଖିଥିଲେ। ଅପରାହ୍ନ ଅଧିବେଶନରେ ମଧ୍ୟ ବିରୋଧୀ ପ୍ରତିବାଦ ଜଣାଇଥିଲେ। ହଙ୍ଗାମା ପାଟିତୁଣ୍ଡ ମଧ୍ୟରେ ୬ଟି ବିଲ୍ ଆଗତ ହୋଇଥିଲା ।
