ଭୁବନେଶ୍ଵର: ୫ ବିଭାଗରେ ୯୬୪ ଜଣଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ୫ଟି ବିଭାଗର ୯୬୪ଟି ପଦବୀ ପୂରଣ ପାଇଁ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା।
ଏହି ଅବସରରେ ସେ କହିଛନ୍ତି ଯେ, ଯୁବ ଶକ୍ତି ହେଉଛନ୍ତି ଆମ ରାଜ୍ୟର ବିକାଶ ରଥର ସାରଥୀ। ଯୁବ ଶକ୍ତିଙ୍କ ଭିତରେ ଥିବା ଶକ୍ତି, ସାମର୍ଥ୍ୟ ଓ ଉତ୍ସାହକୁ ରାଜ୍ୟର ବିକାଶ ସହିତ ସମାଜ କଲ୍ୟାଣରେ ଉପଯୋଗ କରିବା ପାଇଁ ଆମେ ପ୍ରାଧାନ୍ୟ ଦେଉଛୁ। ସରକାରୀ ଚାକିରୀ ସର୍ବଦା ଜନସେବା ପାଇଁ ଉତ୍ସର୍ଗୀକୃତ। ତେଣୁ, ନିଜକୁ ଜନସାଧାରଣଙ୍କ ସେବକ ଭାବି ସାଧାରଣ ଲୋକଙ୍କ ଆଶା, ଆକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ପ୍ରତିଶ୍ରୁତିବଦ୍ଧ ହୋଇ ଆପଣ ମାନେ କାମ କରିବେ ବୋଲି ମୋର ଆଶା ଓ ବିଶ୍ୱାସ । ସରକାରୀ ସ୍ତରରେ ଆପଣଙ୍କ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକ ନିଷ୍ପତ୍ତି ଓ କାର୍ଯ୍ୟ ଜନ ମଙ୍ଗଳ ଉପରେ ଯେପରି ଆଧାରିତ ହେବ ସେଥପ୍ରତି ଆପଣ ମାନେ ଯତ୍ନବାନ ହେବେ।
ସୂଚନା ଅନୁଯାୟୀ, ଏହି ନିଯୁକ୍ତି ମେଳାରେ ପୂର୍ତ୍ତ ବିଭାଗର ୫୬୩ଟି, ଜଳ ସମ୍ପଦ ବିଭାଗର ୬୨ଟି, ପଞ୍ଚାୟିତ ରାଜ ଓ ପାନୀୟ ଜଳ ବିଭାଗର ୧୧୭ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨୦୪ଟି ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୧୮ଟି ପଦବୀରେ ନିଯୁକ୍ତି ଦିଆଯାଇଛି। ଏହି ସବୁ ପଦବୀ ଗୁଡିକ ମଧ୍ୟରେ କନିଷ୍ଠ ଯନ୍ତ୍ରୀ, କନିଷ୍ଠ ପ୍ରବର୍ତ୍ତନ ଅଧିକାରୀ, ଟ୍ରେସର, ବୈଧ ମାପ ବିଜ୍ଞାନ ନିରୀକ୍ଷକ, ଜୁନିଅର ଆକାଉଣ୍ଟାଣ୍ଟ ପଦବୀ ରହିଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ୫ ବର୍ଷରେ ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ହେବ। ଆଜି ସୁଦ୍ଧା ୨୮,୩୪୬ ସରକାରୀ ନିଯୁକ୍ତି ଦିଆଗଲାଣି। ୨୦୨୬ ଜୁନ ସୁଦ୍ଧା ଆମେ ଆମର ଧାର୍ଯ୍ୟ ଲକ୍ଷ୍ୟ ୬୫ ହଜାର ଅତିକ୍ରମ କରିଯାଇଥିବୁ। କେବଳ ସରକାରୀ ସ୍ତରରେ ନୁହେଁ, ବେସରକାରୀ ସ୍ତରରେ ପ୍ରଥମ ବର୍ଷରେ ଆମେ ୪୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି। ଗୋଟଏ ବର୍ଷ ମଧ୍ୟରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ୭୩,୩୪୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ବିଭିନ୍ନ ବିଭାଗର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଆମ ସମୃଦ୍ଧ ଓଡିଶା ଗଠନରେ ଆପଣ ମାନଙ୍କଭଳି ଯୁବ ପ୍ରତିଭାଙ୍କ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି।
ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଥିଲେ ଯେ ଓଡିଶା ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଆଗକୁ ବଢୁଛି, ଆପଣ ମାନଙ୍କ ଜ୍ଞାନ ଓ ବୁଦ୍ଧିର ପ୍ରୟୋଗରେ ଓଡିଶା ଶୀର୍ଷକୁ ଯିବ, ସେଥିପାଇଁ ଆପଣ ମାନେ ସଂକଳ୍ପବଦ୍ଧ ହୋଇ କାମ କରିବେ ବୋଲି ବିଶ୍ୱାସ।
ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ଓଡିଶା ବିକାଶ ରଥର ଡୋରି ଆପଣ ମାନଙ୍କ ହାତରେ ଅଛି। ଆପଣ ମାନେ ବିକାଶ ରଥକୁ ସଫଳତାର ସହ ପରିଚାଳନା କରିବେ ବୋଲି ମୋର ବିଶ୍ୱାସ।
ତେବେ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗର ନବ ନିଯୁକ୍ତ ଶିବଲାଲ୍ କିଶନ, ଜଳ ସମ୍ପଦ ବିଭାଗର ଅନୁସୟା ମହାନ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବି. ପ୍ରବୋଧ ରଞ୍ଜନ ପାତ୍ର ଓ ସନ୍ଧ୍ୟାରାଣୀ ସାହୁ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଚଣ୍ଡୀପ୍ରସାଦ ମିଶ୍ର ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଆଦ୍ୟାଶ ସିଂ, ଉନ୍ନୟନ କମିଶନର ଅନୁ ଗର୍ଗ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।