ଯାଜପୁର: ଯାଜପୁରରେ ପୁଣି ପହଞ୍ଚିଲା କେନ୍ଦ୍ରୀୟ ଟିମ୍ । ଡାଇରିଆ ଆତଙ୍କ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପ୍ରତିନିଧି ଦଳ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏହା ପରେ ବିଭିନ୍ନ ବ୍ଲକ ଗସ୍ତ କରିବ ୧୦ ଜଣିଆ କେନ୍ଦ୍ରୀୟ ଟିମ୍ । ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମେତ ୧୩ ଟି ମେଡିକାଲରେ ୨୧୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ପୁଣି ବଢ଼ିଲା ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି । ଆଜି ଦିନକରେ ଜିିଲ୍ଲାରେ ୪୯ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଅନ୍ୟପଟେ ପ୍ରଶାସନର କଟକଣା ଜାରି ହେଵା ପରେ ଧର୍ମଶାଳାରେ ବିଭିନ୍ନ ଦୋକାନ ବଜାରରେ ଝୁଲିଲା ତାଲା । ଯାଜପୁରରେ ଝାଡାବାନ୍ତି ସ୍ଥିତି ସାଂଘାତିକ ହେବା ପରେ ଧର୍ମଶାଳା ତହସିଲ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି । ଧର୍ମଶାଳା ତହସିଲ ଅଧୀନରେ ଥିବା ସମସ୍ତ ହୋଟେଲ, ଢାବା, ତେଲଭାଜି ଦୋକାନ, ମିଠା ଦୋକାନ, ଫାଷ୍ଟଫୁଡ଼/ଚାଟ/ଗୁପଚୁପ ଦୋକାନ, ଆଇସକ୍ରିମ କାରଖାନା, ପାଣି ପାଉଚ କାରଖାନା, ମାଛ/ଚିକେନ ଏ ସମସ୍ତ ଦୋକାନଗୁଡିକୁ ଆସନ୍ତା ଦୁଇ ସପ୍ତାହ ପାଇଁ ବନ୍ଦ ରହିବ । କଟକଣା ଜାରି ହେବା ପରେ ଆଜି ଧର୍ମଶାଳା ବଜାର ସମେତ ଜାରକା ବଜାର ଓ ରାସ୍ତା କଡ଼ ଢ଼ାବା ଓ ହୋଟେଲ ଗୁଡିକରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ତହସିଲ ପ୍ରଶାସନର ବିନା ଅନୁମତିରେ ଦୋକାନ ଖୋଲା ରଖିଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଧର୍ମଶାଳା ତହସିଲଦାର କହିଛନ୍ତି।