ଭୁବନେଶ୍ୱର: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଖବର ଅତ୍ୟନ୍ତ ସ୍ପର୍ଶକାତର, ସଭିଙ୍କୁ ଏହା ବିଚଳିତ କରିଛି। ଏହାକୁ ଦୃଢ଼ ନିନ୍ଦା କରୁଛି।
ପର୍ଯ୍ୟଟନ ସ୍ଥଳୀରେ ମହିଳାମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନାକୁ ରୋକିବା ଦିଗରେ ସରକାର ସଜାଗ ହୁଅନ୍ତୁ। ରାଜ୍ୟରେ ମହିଳାମାନଙ୍କ ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରନ୍ତୁ।
ସୂଚନା ଥାଉକି ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗତକାଲି ୭ ଯୁବକଙ୍କୁ ଅଟକ ରଖାଯାଇଥିଲା ବେଳେ ବାକି ୩ ଜଣଙ୍କୁ ଗୋପାଳପୁର ପୋଲିସ ଧରିଛି। ସେମାନେ ବାହାର ରାଜ୍ୟକୁ ଫେରାର ପାଇଁ ଉଦ୍ୟମ କରୁଥିଲେ। ଅପରପକ୍ଷରେ ଆଜି ଘଟଣାସ୍ଥଳକୁ ଯାଇ ପୋଲିସ ଛାନ୍ଭିନ୍ କରିବ ବୋଲି ଜଣାପଡିଛି।
ଉଲ୍ଲେଖଯୋଗ୍ୟ, ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଜଣେ ଯୁବତୀ ଗତକାଲି ଅପରାହ୍ନରେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଯାଇଥିଲେ। ସନ୍ଧ୍ୟାବେଳେ କିଛି ଯୁବକ ଉଭୟଙ୍କୁ ନିଛାଟିଆ ସ୍ଥାନରେ ବସିଥିବା ଦେଖି ଅସଦାଚରଣ କରିଥିଲେ। ଆଉ ଏହା ପରେ ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏନେଇ ଯୁବତୀ ଏବଂ ପୁରୁଷ ବନ୍ଧୁ ଗୋପାଳପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ସହ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଘଟଣାରେ ସମ୍ପୃକ୍ତ ଯୁବକମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା।