Image

ବାରିପଦା: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବାରିପଦାର ଛଉ ପଡ଼ିଆ ଠାରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶ । ଏହାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତିଯେ, ଓଡ଼ିଶା ସାଂସ୍କୃତିକ ବୈଭବ ଚିତ୍ରପଟରେ ଜନଜାତି ସଂସ୍କୃତି ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି ତେଣୁ ଏହି ସଂସ୍କୃତିର ବିକାଶ ପାଇଁ ଆଗାମୀ ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ଓଡିଶାରେ ପରିଣତ କରିବାକୁ ହେବ । ଆଗାମୀ ୧୧ ବର୍ଷ ଭିତରେ ଏହି ଲକ୍ଷ୍ୟକୁ ସାକାର କରିବାକୁ ହେଲେ ରାଜ୍ୟର ୪୦ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ବିକାଶ କରିବାକୁ ହେବ ।

ଆଜି ଏହି “ଆଦିବାସୀ ଶକ୍ତି ସମାବେଶ” ରେ ସଂସ୍କୃତି ଓ ପରମ୍ପରାର ଏକ ଅପୂର୍ବ ମିଳନ ହେଉଛି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ମେଳା ରାଜ୍ୟର ସମସ୍ତ ଆଦିବାସୀ ସମ୍ପ୍ରଦାୟଙ୍କୁ ଏକାଠି କରିବାର ଓ ସେମାନଙ୍କୁ ପରସ୍ପରର ସଂସ୍କୃତି ସହ ପରିଚିତ କରାଇବାର ଏକ ସୁଯୋଗ ସୃଷ୍ଟି କରି ଆସୁଛି । ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିବାସୀ ସମ୍ପ୍ରଦାୟର ସମସ୍ତ ସମସ୍ୟା ଓ ଆବଶ୍ୟକତାକୁ ସୁନିଶ୍ଚିତ କରିବା । ଆମେ ତାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷାରେ ଉନ୍ନତି କରିବା ପାଇଁ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଓଡିଶାର ପ୍ରାଣ ହେଉଛନ୍ତି ଏହାର ଜନଜାତି । ରାଜ୍ୟର ପ୍ରାୟ ଏକ ଚତୁର୍ଥାଂଶ ହେଉଛନ୍ତି ଆଦିବାସୀ ସଂପ୍ରଦାୟ । ଆଦିବାସୀ ଜନଜାତି ଆଜି ଭାରତର ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିଛନ୍ତି ଏବଂ ମୟୂରଭଞ୍ଜରୁ ୭ ଜଣ ଆଦିବାସୀ ସମ୍ପ୍ରଦାୟର ବିଧାୟକ ମାନେ ଆଜି ଏହି ଜିଲ୍ଲାର ପ୍ରତିନିଧିତ୍ବ କରୁଛନ୍ତି, ଏହା ଆମ ପାଇଁ ଗୌରବର ବିଷୟ । ଯେତେବେଳେ ସମ୍ମାନର କଥା ଆସେ ଏଇ ମୟୂରଭଞ୍ଜ ମାଟିର ଜଣେ ସାଧାରଣ ପରିବାରର ଝିଅ ବହୁ ବାଧାବିଘ୍ନ ସତ୍ତ୍ୱେ ଆଜି ଦେଶର ପ୍ରଥମ ନାଗରିକ, ମହାମହିମ ରାଷ୍ଟ୍ରପତି ପଦରେ ଦେଶକୁ ଗୌରବାନ୍ଵିତ କରୁଛନ୍ତି । କେବଳ ମୟୂରଭଞ୍ଜ ନୁହେଁ ସାରା ଦେଶର ଜନଜାତି ଝିଅ, ପ୍ରତ୍ୟେକ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ । ଭାରତୀୟ ସଂସ୍କୃତି ଓ ପରମ୍ପରା ଜନଜାତିଙ୍କ ବିନା କଳ୍ପନା କରିବା ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ।

ସେ ଆହୁରି କହିଛନ୍ତିଯେ, କେନ୍ଦ୍ର ସରକାରଙ୍କ ସହିତ ଓଡିଶା ରାଜ୍ୟ ସରକାର ଜନଜାତି କଲ୍ୟାଣ ପାଇଁ ପ୍ରତିବଦ୍ଧ । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧିନରେ ରାଜ୍ୟର ଜନଜାତି ସମୁଦାୟର ଜୀବିକା ବିକାଶକୁ ପ୍ରୋତ୍ସାହନ କରାଯାଉଛି । କୃଷି, ଜଳସେଚନ ଓ ପଶୁପାଳନ ମାଧ୍ୟମରେ ୧.୪୫ ଲକ୍ଷ ଜନଜାତି ପରିବାରର ଜୀବିକା ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି । ୫ ହଜାର ଆଦିବାସୀ ଯୁବକ ଓ ଯୁବତୀମାନେ ପ୍ରତ୍ୟେକେ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପାଇ ଲଘୁ ଉଦ୍ୟୋଗ ଆରମ୍ଭ କରି ଉପକୃତ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ଆବାସିକ ଶିକ୍ଷାକୁ ସହଜ କରିବା ପାଇଁ ୨୦୨୪ ଆର୍ଥିକ ବର୍ଷରେ ୮୩ ଗୋଟି ନୂତନ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରାବାସ, ୨୩ଟି ଅନ୍ୟାନ୍ୟ ପଛୁଆବର୍ଗ ଛାତ୍ରାବାସ ଏବଂ ୨୨୯ ଗୋଟି ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସ ପାଇଁ ମୋଟ ୭୩୨.୪୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଶିକ୍ଷାକୁ ସୁଦୂରପ୍ରସାରି କରିବା ନିମନ୍ତେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାଟିକୁ ଆରମ୍ଭ ହୋଇଛି । ଆବାସିକ ବିଦ୍ୟାଳୟଗୁଡ଼ିକୁ ଅତ୍ୟାଧୁନିକ ଶିକ୍ଷାନୁଷ୍ଠାନରେ ପରଣିତ କରିବା ଲକ୍ଷ୍ୟରେ ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ଆଶ୍ରମ ବିଦ୍ୟାଳୟ ଯୋଜନା ନିମନ୍ତେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ‘ବିକଶିତ ଓଡିଶା, ବିକଶିତ ଭାରତ’ର ସାରଥି କରିବା ଉଦ୍ଦେଶ୍ୟରେ ରାଜ୍ୟରେ ପିଏମ୍-ଜନମନ ଯୋଜନାର ପ୍ରଚାରପ୍ରସାର କରାଯାଉଛି । ଏହି ଅଭିଯାନ ରାଜ୍ୟର ୧୪ଟି ଜିଲ୍ଲାର ୧୬୭୯ଟି ଗ୍ରାମରେ ବାସ କରୁଥିବା ୨,୯୪,୭୧୨ ଜଣ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ (ପିଭିଟିଜି) ଙ୍କ ନିକଟରେ ପହଞ୍ଚିବ । ରାଜ୍ୟ ସରକାର ଆଦିବାସୀ ସଂସ୍କୃତି ଓ ଐତିହ୍ୟ ଭବନ ଏବଂ ଆଦିବାସୀ ଭାଷା ପ୍ରତିଷ୍ଠାନ ନିମନ୍ତେ ଯଥାକ୍ରମେ ୧୦୦ କୋଟି ଓ ୫୦ କୋଟି ଟଙ୍କା ବ୍ୟୟ ବରାଦରେ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଓଡିଶାର ସାମଗ୍ରିକ ବିକାଶ ପାଇଁ ଆମ ସରକାର ଏକ ରଣ କୌଶଳ ପ୍ରସ୍ତୁତ କରିଛନ୍ତି । ଆଦିବାସୀ ସଶକ୍ତିକରଣ ଆମ ପାଇଁ କେବଳ ଏକ ସ୍ଲୋଗାନ କିମ୍ବା ଭୋଟ୍ ପାଇଁ ଇଭେଣ୍ଟ ମ୍ୟାନେଜମେଣ୍ଟ ନୁହେଁ । ଏହା ଆମ ସରକାରଙ୍କ ଆପଣଙ୍କ ପାଇଁ ପ୍ରତିବଦ୍ଧତା ।

Share