ବର୍ଲିନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ କଲ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଉପେକ୍ଷା କରିଥିବା ଜଣାଯାଇଛି। ଜର୍ମାନୀ ସ୍ଥିତ ଖବରକାଗଜ ‘ଫ୍ରାଙ୍କଫର୍ଟର ଆଲଜେମାଇନ୍’ ରିପୋର୍ଟ ଅନୁଯାୟୀ ନିକଟରେ ମୋଦୀଙ୍କ ନିକଟକୁ ଟ୍ରମ୍ପ ୪ଥର ଫୋନ କଲ୍ କରିଥିଲେ। ମାତ୍ର ଟ୍ରମ୍ପଙ୍କ ଫୋନ କଲ୍କୁ ମୋଦୀ ରିସିଭ୍ କରି ନଥିଲେ। ଟ୍ରମ୍ପଙ୍କ ଫୋନ କଲ୍କୁ ମୋଦୀ ରିସିଭ୍ ନ କରିବାର କାରଣ ହେଉଛି ତାଙ୍କର କ୍ରୋଧ। କାରଣ ଟ୍ରମ୍ପ ପ୍ରଶାସନ ଭାରତ ଉତ୍ପାଦିତ ସାମଗ୍ରୀ ଉପରେ ୫୦% ଶୁଳ୍କ ଲାଗୁ କରିଛନ୍ତି। ଟ୍ରମ୍ପଙ୍କ ଏହି ଶୁଳ୍କ କଟକଣାକୁ ନେଇ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଲାଗି ରହିଛି। ଏପରି କି ଗତ ୨୫ବର୍ଷ ମଧ୍ୟରେ ଦୁଇ ଦେଶର ସମ୍ପର୍କ ସବୁଠାରୁ ତଳକୁ ଖସିଆସିଛି। ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଥିବାବେଳେ ଏବେ ସମ୍ପର୍କରେ ତିକ୍ତତା ଆସିଛି। ରୁଷ୍ ଠାରୁ ଭାରତ ଅଶୋଧିତ ତୈଳ କ୍ରୟ କରୁଥିବା କାରଣରୁ ଆମେରିକା ନୂଆଦିଲ୍ଲୀ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିଛି।

