ସେହିପରି ଆସନ୍ତା ୨୦ ତାରିଖ ସକାଳ ୮ଟା ୨୫ ମିନିଟରେ ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ବାହାରିବେ । ସକାଳ ୧୦ଟା ୫ ମିନିଟରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଛତିଶଗଡ଼ର ଅମ୍ବିକାପୁରସ୍ଥିତ ଗାନ୍ଧି ଷ୍ଟାଡିୟମରେ ଓହ୍ଲାଇ ପିଜି କଲେଜ ପଡ଼ିଆରେ ଛତିଶଗଡ଼ ସରକାରଙ୍କ ଦ୍ୱାରା ‘ଜନ ଜାତୀୟ ଗୌରବ’ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । କାର୍ଯ୍ୟକ୍ରମ ସରିବା ପରେ ପୁଣି ଝାରସୁଗୁଡ଼ା ବିମାନବନ୍ଦର ଦେଇ ସେହିଦିନ ଅପରାହ୍ନ ୧ଟା ୪୫ ମିନିଟରେ ଆନ୍ଧ୍ରପ୍ରଦେଶ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ପ୍ରସ୍ତୁତି ବୈଠକ ବସିଥିଲା । ଅପରାହ୍ନରେ ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରପତିଙ୍କ ସୁରକ୍ଷା, ରାଜଭବନରେ ରହଣି, କାରକେଡ୍ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ, ଆବଶ୍ୟକ ପାସ୍ ବ୍ୟବସ୍ଥା ଉପରେ ବୈଠକରେ ଆଲୋଚନା ହୋଇଥିଲା । ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ ୱାଇ.ବି.ଖୁରାନିଆ, ଅଗ୍ନିସେବା ଡିଜି ଡଃ ସୁଧାଂଶୁ ଷଡ଼ଙ୍ଗୀ, ପୁଲିସ କମିଶନର ଏସ୍. ଦେବଦତ୍ତ ସିଂହ ଓ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଯେପରି ତ୍ରୁଟିଶୂନ୍ୟ ରହିବ, ସେ ନେଇ ବାଚସ୍ପତି ଶ୍ରୀମତୀ ପାଢ଼ୀ ବିଭିନ୍ନ ବିଭାଗ ସହ ଆଲୋଚନା କରିଛନ୍ତି ।

